କୋରାପୁଟରୁ ପୁଣି ୫ କରୋନା ପଜିଟିଭ ଚିହ୍ନଟ: ଜଣେ କୋଭିଡ ଯୋଦ୍ଧା, ୨ଶିଶୁ ସାମିଲ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୈପାରିଗୁଡ଼ା ଥାନା ଅଧିକାରୀଙ୍କ ସମେତ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୁନାବେଡ଼ା ହାଲ୍ ଅଞ୍ଚଳର ଗୋଟିଏ ପରିବାରର ୧୧ ଓ ୯ବର୍ଷର ୨ଜଣ ଶିଶୁ ରହିଛନ୍ତି। ସେହିପରି ବୈପାରିଗୁଡ଼ା ମେଡିକାଲ କଲୋନୀର ଜଣେ ମହିଳା ଏବଂ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା କୋରାପୁଟ ସହରର ଜଣେ ବ୍ୟକ୍ତି ରହିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହିତ ସୁନାବେଡ଼ା ପୌର ପରିଷଦର ୱାର୍ଡ ନଂ ୧୫ ଅଧୀନ କ୍ୱାର୍ଟର ନମ୍ବର ୧ରୁ ୬୪, ବୈପାରିଗୁଡ଼ା ମେଡିକାଲ କଲୋନୀ, ଗୁପ୍ତେଶ୍ୱର ରୋଡ୍, ସୋମନାଥ ଗୌଡ଼ ଚାହା ଦୋକାନଠାରୁ ଗୁପ୍ତ ପ୍ରସାଦ ରାଜୁଙ୍କ ଘର ଓ ଗୌଡ଼ସାହି, ବୈପାରିଗୁଡ଼ା ଥାନା କଲୋନୀ ଅଞ୍ଚଳକୁ ୪ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଏସପିଙ୍କ ସହ ଆଲୋଚନା ପରେ ବୈପାରିଗୁଡ଼ା ଥାନା ବନ୍ଦ ରହିବ ନା ଅନ୍ୟ କର୍ମଚାରୀଙ୍କୁ ନେଇ ଥାନା କାର୍ଯ୍ୟ ଚାଲୁ ରଖାଯିବ ସେସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପୁଲିସ ଅଧିକାରୀଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହିତ କରୋନା ହଟସ୍ପଟ କୁହାଯାଉଥିବା ୫୦୦ରୁ ଉର୍ଦ୍ଧ ସକ୍ରିୟ ମାମଲା ରହିଥିବା ଜିଲ୍ଲାକୁ ଯା’ଆସ ଉପରେ ଜିଲ୍ଲା ପ୍ରଶାସନ କୋଭିଡ ନିୟମ ଅନୁଯାୟୀ ରୋକ ଲଗାଇବ ଓ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।