ଶାରୀଶୁଆ ଖଣିରେ ଏସଟିଏଫର ଚଢ଼ଉ: ୫ ଖଣିମାଫିଆ ଗିରଫ, ୩ଟି ଗାଡ଼ି ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ରାଇମବ୍ରାଞ୍ଚର ଏସଟିଏଫ୍ (ସ୍ପେଶାଲ ଟାସ୍କ ଫୋର୍ସ)ଟିମ୍ ବାଲେଶ୍ୱରର ଶାରୀଶୁଆ ଖଣିରେ ଚଢ଼ଉ କରି ୫ଜଣ ଖଣିମାଫିଆଙ୍କୁ ଗିରଫ କରିଛି। ଏହାସହ ବେଆଇନ ଭାବେ ପଥର ଚାଲାଣ କରୁଥିବା ୨ଟି ଟ୍ରାକ୍ଟର ଓ ଗୋଟିଏ ପଥର ଭର୍ତ୍ତି ଟ୍ରକକୁ ସେମାନଙ୍କଠାରୁ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ କଇଁଥଗଡ଼ିଆ ଅଞ୍ଚଳର ବାବୁରାମ ଜେନା, ଜୟନ୍ତ ଜେନା,ବାସୁଦେବ ରାଉତ, ଭାଗିରଥି ସୋରେନ, ଟୁନା ଜେନା। ଗିରଫ ହୋଇଥିବା ୫ଜଣଙ୍କ ମଧ୍ୟରୁ ୨ଜଣ ଗାଡି ମାଲିକ ଓ ୩ଜଣ ଗାଡି ଚାଳକ ଅଟନ୍ତି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଶାରୀଶୁଆ ଖଣିରୁ ନିୟମିତ ଭାବେ ଖଣିମାଫିଆମାନେ ପାହାଡ଼ ବ୍ଲାଷ୍ଟିଂ କରି ଟନଟନ୍ ପଥର ଚୋରାରେ ନେଉଥିଲେ। ଏନେଇ ପୂର୍ବରୁ ଏଠାରେ ୧୪୪ ଧାରା ଜାରି ହୋଇଥିଲା। କିନ୍ତୁ ଖଇରା ରାଜସ୍ୱ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ହାତ କରି ମାଫିଆମାନେ ବେଆଇନ ଭାବେ ଖଣିରେ ରାତି ଅଧିଆ ବ୍ଲାଷ୍ଟିଂ କରି ପଥର ଚୋରାଚାଲାଣ କରୁଥିବା ଆଲୋଚନା ହେଉଥିଲା। ଏ ବାବଦରେ ବିଶେଷ ସୂତ୍ରରୁ ଖବର ପାଇ ଖଣିମାଫିଆଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ଯୋଜନା ମୁତାବକ ଶନିବାର ରାତିରୁ ଏସଟିଏଫ୍ ଟିମ୍ ଖଣି ନିକଟସ୍ଥ ଏକ ପାହାଡ଼ରେ ଲୁଚି ରହିଥିଲେ। ମାଫିଆମାନେ ବିଳମ୍ବିତ ରାତିରେ ବିସ୍ଫୋରଣ ଘଟାଇ ପାହାଡ଼ ଭାଙ୍ଗିବା ପରେ ଟ୍ରକ ଓ ଟ୍ରାକ୍ଟର ଦ୍ୱାରା ପଥର ବୋହିବା ଆରମ୍ଭ କରିଥିଲେ। ଏତିକିବେଳେ ପାହାଡ଼ ଉହାଡ଼ରେ ଲୁଚି ରହିଥିବା ଏସଟିଏଫ୍ ଟିମ୍ ସେମାନଙ୍କ ଉପରେ ଅତର୍କିତ ଭାବେ ଚଢ଼ଉ କରି ମାଫିଆମାନଙ୍କୁ ଚାରିପଟୁ ଘେରାବନ୍ଦୀ କରିଦେଇଥିଲା। ଯାହାଦ୍ୱାରା କେହି ମଧ୍ୟ ଘଟଣାସ୍ଥଳରୁ ଖସି ଯାଇପାରିନଥିଲେ। ଏହାପରେ ଏସଟିଏଫ୍ ଟିମ୍ ଖଇରା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ଖଇରା ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ଖଣିମାଫିଆଙ୍କୁ କୋର୍ଟ ଚାଲାଣ କରିଛି।