୫ ଲୁଟେରା ଗିରଫ: କାର ସମେତ ଟଙ୍କା, ସୁନା ଗହଣା ଓ ମାରଣାସ୍ତ୍ର ଜବତ

ଅନୁଗୁଳ,ଏନ୍ଏନ୍ଏସ୍: ରବିବାର ବଅଁରପାଳ ଥାନା ପୁଲିସ ୫ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ମାରୁତି କାର ସହ ନଗଦ ଟଙ୍କା,ସୁନା ଗହଣା ଓ ମାରଣାସ୍ତ୍ର ଏବଂ ୮ଟି ମୋବାଇଲ ଫୋନ ଜବତ କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ସନ୍ଧ୍ୟା ୫ଟା ୩୦ରେ ତଳମୂଳ ଗ୍ରାମର ଚିତରଂଜନ ଧଳ ବିଶୋଇ ମହିଧରପୁରରୁ କାମ ସାରି ନିଜ ଘରକୁ ଫେରୁଥିଲେ। ତଳମୂଳ କଲେଜ ସମ୍ମୁଖରେ ୫ ଜଣ ଦୁର୍ବୃତ ଏକ ମାରତି ସ୍ୱିପଟ କାରରେ ଆସି ତାଙ୍କୁ ଅଟକାଇ ତାଙ୍କ ଠାରୁ ୫ ହଜାର ଟଙ୍କା,ଗୋଟିଏ ସୁନାମୁଦି, ମୋବାଇଲ ଫୋନ ଆଦି ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ଶ୍ରୀ ଧଳ ବିଶୋଇ ବଅଁରପାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୩୯୫ କେଶ ନମ୍ବର ୧୧/୨୦୨୦ ଏକ କେଶ ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ପୁଲିସ ରବିବାର ଦିନ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ଲୁଟେରା ମାନଙ୍କୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢ଼ାଉ କରିଥିଲେ। ପୁଲିସର ଏହି ଚଢ଼ାଉରେ ପଶ୍ଚିମବଙ୍ଗର ପାଣ୍ଡେଶ୍ୱର ଗ୍ରାମର ରାଜେଶ କୁମାର ନନିଆ (୧୨), କାଳିପାହାଡିର ଶିବ କର୍ମକାର (୧୨), ଝାରଖଣ୍ଡର ଚନ୍ଦନ ମାହୋତ (୨୨), ମେମଧାମୁଆଁ ର ଟାଟା ନୋନିଆ (୨୭),ନିଘାଂଆଜାଦ ନଗରର କିର୍ତନ ନୋନିଆ (୪୦) ପ୍ରମୁଖଙ୍କୁ ବଅଁରପାଳ ଥାନା ଅଚଂଳରୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରିଥିଲେ।

ପୁଲିସର ଏହି ପଚରା ଉଚରା ସମୟରେ ସେମାନେ ଶ୍ରୀ ଧଳ ବିଶୋଇଙ୍କ ଠାରୁ ଲୁଟପାଟ କରିଥିବା ସ୍ୱୀକାର କରିଥିଲେ। ପୁଲିସ ସେମାନଙ୍କ ଠାରୁ ଗୋଟିଏ ମାରୁତି ସ୍ୱିପଟ କାର,୮ଟି ମୋବାଇଲ ଫୋନ, ଗୋଟିଏ ଛୁରୀ, ୩ ହଜାର ୫୦୦ ଶହ ଟଙ୍କା ଏବଂ ଗୋଟିଏ ସୁନାମୁଦି ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ।