ଦୁଷ୍କର୍ମ ଗର୍ଭବତୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ଦିଅ – ହାଇକୋର୍ଟ

କଟକ,ଏନ୍‌ଏନ୍‌ଏସ୍‌: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଜଣେ ୨୨ ବର୍ଷୀୟା ଜଣେ ଶାରିରୀକ ଓ ମାନସିକ ଭିନ୍ନକ୍ଷମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଏକ ଆବେଦନର ଶୁଣାଣୀ କରି ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ଗର୍ଭ ନଷ୍ଟ କରିବା ପାଇଁ ତାଙ୍କ ମାଆଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

ପୀଡ଼ିତାଙ୍କ ଗର୍ଭଧାରଣ ସମୟ ୨୪ ସପ୍ତାହରୁ ଅଧିକ ହୋଇସାରିଥିବାରୁ ତାଙ୍କ ଗର୍ଭ ନଷ୍ଟ କରାଯାଇପାରିବ ନାହିିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ପୀଡ଼ିତାଙ୍କ ନାମରେ ଉକ୍ତ ଅର୍ଥକୁ ଏକ ଜାତୀୟକରଣ ବ୍ୟାଙ୍କରେ ସ୍ଥାୟୀ ଜମା ରଖିବେ। ତେବେ ଗର୍ଭବତୀ ପୀଡ଼ିତାଙ୍କର ଯଦି ପୁଅ ହୁଏ ତେବେ ଜନ୍ମ ହେବାର ୧୦ ଦିନ ମଧ୍ୟରେ ୩ ଲକ୍ଷ ଟଙ୍କା ପ୍ରଦାନ କରିବେ। ସେହିପରି ଯଦି ଝିଅ ହୁଏ ତେବେ ଜନ୍ମର ୧୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିସହିତ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥି ସହିତ ପୀଡ଼ିତାଙ୍କୁ ମଧ୍ୟ ପୀଡ଼ିତା କ୍ଷତିପୂରଣ ଯୋଜନାରେ କ୍ଷତିପୂରଣ ଦେବାକୁ କୁହାଯାଇଛି। ଅଦାଲତ କହିଛନ୍ତି ଯେ ଯଦି ଜଣେ ମାନସିକ, ଶାରୀରିକ ଦୃଷ୍ଟିରୁ ଅନଗ୍ରସର ନାବାଳିକା ବା ସାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ୮ ସପ୍ତାହ ଅବଧି ଭିତରେ ଗର୍ଭବତୀ ଥିବା ପୁଲିସ ନିକଟରେ ରିପୋର୍ଟ ଦାଖଲ ହୁଏ ସେଭଳି କ୍ଷେତ୍ରରେ ପୁଲିସ ଓ ସିଡିଏମଓ ପୀଡ଼ିତାଙ୍କ ଅବିଭାବକ-ମା’ଙ୍କ ନିକଟରୁ ପୀଡ଼ିତା ଗର୍ଭଧାରଣ କରିବାକୁ ଆଗ୍ରହୀ ବା ଗର୍ଭପାତ ପାଇଁ ଇଚ୍ଛୁକ ସେ ସମ୍ପର୍କରେ ଅନୁମତି ନେବେ।

ଅନ୍ୟପକ୍ଷରେ ଯଦି ଗର୍ଭଧାରଣ ପାଇଁ ଆଗ୍ରହ ପ୍ରକାଶ ନପାଏ ତେବେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍‌ନାନ୍ସି ଆଇନ ୧୯୭୧ ଅନୁସାରେ ଗର୍ଭପାତ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବେ। ସେହିପରି ଯଦି ଯଦି ଗର୍ଭପାତ ପାଇଁ ଅରାଜି ହୁଏ ସେପରି କ୍ଷେତ୍ରରେ ପୁଲିସ ଓ ଜିଲ୍ଲା ଚିକିତ୍ସା ଅଧିକାରୀ ଉଭୟ ମା ଓ ଗର୍ଭସ୍ଥ ଶିଶୁର ଯତ୍ନ ନେବେ।

ମାମଲାର ବିବରଣୀ ଅନୁସାରେ ୨୦୨୦, ଅଗଷ୍ଟ ୧୩ରେ ଜଗତସିଂହପୁର କୁଜଙ୍ଗ ଥାନାରେ ଜଣେ ଶାରୀରିକ ଓ ମାନସିକ ଭିନ୍ନକ୍ଷମ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ପରେ ଅଭିଯୁକ୍ତ ବିରୋଧରେ ଆଇପିସିର ଦଫା ୩୭୬(୨)(୧), ୨୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ଏହା ପରେ ୨୪ ସପ୍ତାହ ଗର୍ଭବତୀ ଥିବା ପୀଡ଼ିତାଙ୍କ ଗର୍ଭପାତ ପାଇଁ ପୀଡ଼ିତାଙ୍କ ମାଆ ହାଇକୋର୍ଟରେ ଆବେଦନ କରିଥିଲେ। ଅଦାଲତ ଏହାର ଶୁଣାଣି କରି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗର୍ଭସ୍ଥ ସନ୍ତାନର ଅବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ଏପରି ନିର୍ଦ୍ଦେଶ ଆଧାରରେ ଜଗତସିଂହପୁର ସିଡିଏମ୍‌ଓ ହାଇକୋର୍ଟରେ ତଥ୍ୟ ଦାଖଲ କରିଥିଲେ। ଅଦାଲତ ଏହାର ଶୁଣାଣି କରି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇଛି।