୫ ଆନ୍ତଃ ଜିଲ୍ଲା ଡକାୟତ ଗିରଫ

ନୂଆପଡ଼ା, ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ୫ଜଣ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪୨୧୧ ଟଙ୍କା ସମେତ ୬ଟି ମୋବାଇଲ ଫୋନ ଓ ୩ଟି ମୋଟରସାଇକେଲ ଜବତ କରାଯାଇଛି। ଗିରଫ ଡକାୟତମାନେ ହେଲେ ଖଡ଼ିଆଳ ନିନାପଡ଼ାର ମନୋରଞ୍ଜନ ସରାଫ, ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳର ଲୋକନାଥ ଶଗରିଆ ଓ ନିରଞ୍ଜନ ଖୁରା, କୋମନା ଥାନା ଅନ୍ତର୍ଗତ ଚାନ୍ଦୋପଲା ଗାଁର ତ୍ରିଲୋଚନା ଶବର ଓ ବିଘ୍ନରାଜ ଶବର।
ସୂଚନା ଅନୁଯାୟୀ, ଗତ ୨୩ ତାରିଖ ସନ୍ଧ୍ୟାରେ ଖଡ଼ିଆଳ ଥାନା ଝୋଲପଥର ଗ୍ରାମର କପଡ଼ା ବ୍ୟବସାୟୀ କୋଶଳ ମେହେର ଓ ତାଙ୍କ ଦୁଇ ସାଥୀ ମକରଧ୍ୱଜ ମେହେର ଓ ଦାଶରଥି ତାଣ୍ଡି ଏକ ମୋଟରସାଇକେଲରେ ସାନମହେଶ୍ୱରରୁ ଝୋଲପଥର ଗାଁକୁ ଫେରୁଥିଲେ। ବାଟରେ ଏକ ପାହାଡ଼ ନିକଟରେ ଦୁଇଟି ମୋଟରସାଇକେଲରେ ୬ଜଣ ଅଜଣା ବ୍ୟକ୍ତି ଆସି ବଳପୂର୍ବକ ଅଟକାଇ ଥିଲେ। ପରେ ସେମାନେ ଅତର୍କିତ ଭାବେ ଲାଠିରେ ଆକ୍ରମଣ କରି କୋଶଳ ମେହେରଙ୍କଠାରୁ ୧୩ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଓ ଦାଶରଥିଙ୍କଠାରୁ ୨୦୪୦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଖଡ଼ିଆଳ ଥାନାରେ ମକରଧ୍ୱଜ ଲିଖିତ ଅଭିଯୋଗ କରିଥିଲେ। ନୂଆପଡ଼ା ଏସପିଙ୍କ ନିର୍ଦ୍ଦେଶକ୍ରମେ ଖଡ଼ିଆଳ ଥାନାର ଏକ ସ୍ୱତନ୍ତ୍ର ପୁଲିସ ଟିମ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ଘଟଣାରେ ସମ୍ପୃକ୍ତ ୫ଜଣ ଡକାୟତଙ୍କୁ ଗିରଫ କରିଛି।