ରିତେଶ ଦାଶ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୫ ଜଣଙ୍କୁ ଗିରଫ କଲା ପୁଲିସ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଟାଉନ୍ ଥାନା ପୁଲିସ ବହୁଚର୍ଚ୍ଚିତ ରିତେଶ ଦାଶ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ବରଗଡ଼ ବେହେରା ଟିକିରାର କ୍ରିଷ୍ଣା ମହାପାତ୍ର, ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମର ତରସିଂ ପ୍ରଧାନ, ବରଗଡ଼ ୮ ନଂ ୱାର୍ଡର ସଚିନ ମିଶ୍ର, ରୋନକ ପତି ଏବଂ ବରମ ଚାରିର ଦୁଷ୍ମନ୍ତ ବାଗ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଉଁଶ ବାଡ଼ି ଓ ଛୁରି, ଗୋଟିଏ ଜୁପିଟର ବାଇକ୍, ଗୋଟିଏ ଆପାଚି ବାଇକ୍ ଓ ଗୋଟାଏ ହିରୋ ହଣ୍ଡା ସିଡି ଡିଲକ୍ସ ବାଇକ୍ ଜବତ କରିଛି।

ସୂଚନା ଅନୁସାରେ ଗତ-୨୫ ସେପ୍ଟେମ୍ବର ଦିନ ବରଗଡ଼ର ୨ ନଂ ୱାର୍ଡର ବେହେରା ଟିକ୍ରାରେ ଭଡ଼ା ଘରେ ରହୁଥିବା କୃଷ୍ଣ ମହାପାତ୍ରର ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିବାର ଦେଖି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଆରକ୍ଷୀ ଅଧୀକ୍ଷକ ପଦ୍ମିନୀ ସାହୁ, ଏସଡିପିଓ ଦୀପକ କୁମାର ଓ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ଏନେଇ ମୃତକଙ୍କ ବାପା ଗତିକୃଷ୍ଣ ଦାଶ ଟାଉନ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଗତିକୃଷ୍ଣଙ୍କ ଅଭିଯୋଗ ଅନୁସାରେ ସେପ୍ଟେମ୍ବର ୪ ତାରିଖ ଦିନ ତାଙ୍କ ପୁଅଙ୍କୁ କିଛି ଯୁବକ ଘରୁ ଡାକି ନେଇ ହତ୍ୟା କରିଛନ୍ତି।

ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖି ପ୍ରଥମେ କୃଷ୍ଣଚନ୍ଦ୍ର ମହାପାତ୍ର ଓରଫ୍ କ୍ରୀଷ୍ଣାକୁ ଧରିବାରେ ସଫଳ ହୋଇଥିଲେ। ହତ୍ୟାକାଣ୍ଡର କାରଣ ଓ ଅନ୍ୟାନ୍ୟ ସନ୍ଦିଗ୍ଧମାନଙ୍କ ସମ୍ପର୍କରେ ଠୋସ ସୂଚନା ପାଇବା ପରେ ପୁଲିସ ସମସ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।