ଚମ୍ପାସର ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ୫ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ପଞ୍ଚାୟତ ଚମ୍ପାସରସ୍ଥିତ ମାଙ୍ଗାନିଜ ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ଲରମ୍ଭା ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ରାଜଧନୱାର ଥାନା ବାନ୍ଦେଟାଣ୍ଡ ଗ୍ରାମର ବବଲୁ ଅନସାରୀ(୨୯), ଅଜମଦ୍ ଅନସାରୀ(୧୯), ଛତିଶଗଡ଼ର କୁମ୍ଭାରୀ ଅନ୍ତର୍ଗତ ରେସ ଅହମ୍ମଦ(୩୯), ରାଜକୁମାର ଯାଦବ(୨୯) ଓ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବରମପୁରର ଲକ୍ଷ୍ମଣ ରେଡ୍ଡି(୪୨) । ଏହାସହ ଚୋରୀ ପାଇଁ ବ୍ୟବହୃତ ଏକ ଟ୍ରକ ଏବଂ ଜେସିବି ମେସିନକୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଲରମ୍ଭା ଥାନା ଅନ୍ତର୍ଗତ ଚମ୍ପାସର ଗ୍ରାମରେ ଥିବା ମାଙ୍ଗାନିଜ ଖଣିକୁ ପ୍ରାୟ ୧୦ ବର୍ଷ ତଳୁ ଭିଜିଲାନ୍ସ ବିଭାଗ ସିଲ କରି ଦେଇଥିଲା । ସେହି ଦିନରୁ ଉକ୍ତ ଅଞ୍ଚଳରୁ ମାଙ୍ଗାନିଜ ଉତ୍ତୋଳନ ବନ୍ଦ ଥିଲା । ତେବେ ଗତ କିଛିଦିନ ତଳେ କେତେକ ହିନ୍ଦୀ ଭାଷାଭାଷୀ ଲୋକ ଉକ୍ତ ଅଞ୍ଚଳରେ ବୁଲାବୁଲି କରିବା ସହ ଗଚ୍ଛିତ ମାଙ୍ଗାନିଜ ଉପରକୁ ଲୋଲୁପ ଦୃଷ୍ଟି ଦେଇଥିବା ଚମ୍ପାସର ଗ୍ରାମବାସୀ ଅନୁଭବ କରିଥିଲେ । ସୋମବାର ରାତିରେ ଉକ୍ତ ଖଣି ଅଞ୍ଚଳରେ ଏକ ଜେସିବି ମେସିନ ସାହାଯ୍ୟରେ ମାଙ୍ଗାନିଜ ଉତ୍ତୋଳନ କରି ଟ୍ରକରେ ବୋଝେଇ ପାଇଁ ଉଦ୍ୟମ କଲାବେଳେ ଗ୍ରାମବାସୀ ମିଳିତ ଭାବରେ ସେମାନଙ୍କୁ କାବୁ କରି ନେଇଥିଲେ । ଉକ୍ତ ମାଙ୍ଗାନିଜର ନକଲି କାଗଜପତ୍ର ପ୍ରସ୍ତୁତ କରି ରାୟପୁର ଅଞ୍ଚଳକୁ ଚାଲାଣ କରାଯିବାକୁ ମସୁଧା ଚାଲିଥିବା ଗ୍ରାମବାସୀ ସୂଚନା ପାଇଥିଲେ । ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ଲରମ୍ଭା ଥାନାଧିକାରୀ ରାଜେନ୍ଦ୍ର ବେହେରା ସଦଳବଳେ ଉକ୍ତ ସ୍ଥାନରେ ପହଂଚି ଚୋରା ଚାଲାଣକାରୀଙ୍କୁ ଥାନାକୁ ଆଣି ପଚରାଉଚୁରା ଆରମ୍ଭ କରିଥିଲେ । ଉକ୍ତ ୫ ଜଣ ମାଙ୍ଗାନିଜ ଚୋରା ଚାଲାଣ ଉଦ୍ୟମ କରୁଥିବା ନିଶ୍ଚିତ ହେବା ପରେ ସେମାନଙ୍କ ବିରୁଦ୍ଧରେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ କରିବା ସହ ବ୍ୟବହୃତ ଟ୍ରକ ଏବଂ ଜେସିବିକୁ ପୁଲିସ ଜବତ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।