ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ମାଝିଚାକୁଣ୍ଡାପାଳ ଗ୍ରାମରେ ପରକୀୟାପ୍ରୀତିକୁ ନେଇ ଗତ ୭ ତାରିଖ ଦିନ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଜଣକୁ ପୁଲିସ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଶାଶୂ ,ଶଶ୍ୱର, ବୋହୂ ଓ ୨ ଦିଅରଙ୍କୁ ପୁଲିସ ଗିରଫ କରି କୋର୍ଟଚାଳାଣ କରିଥିବା ଜଣାପଡ଼ିଛି। ଅଦାଲତରେ ଜାମିନ ନାମଞ୍ଜୁରହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ମାଝିଚାକୁଣ୍ଡାପାଳ ଗ୍ରାମର ଶ୍ରଦ୍ଧାକର ମାଝୀ (୬୨)ଙ୍କ ପୁଅ ନରେଶ ମାଝୀ କେନ୍ଦୁଝର ଜିଲ୍ଲାରେ ଚାକିରି କରୁଥିବାବେଳେ ଗାଁରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ (୨୩)ଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ରହୁଥିଲେ। ତେବେ ଗତ ୭ ତାରିଖ ନରେଶଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଳମ୍ବିତ ରାତ୍ରିରେ ଭାଟସିଂ ଗ୍ରାମର ଧରଣୀ ନାଏକଙ୍କ ପୁଅ ସୁମନ୍ତ ନାଏକ (୨୫) ନରେଶଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ କୋଠରୀରେ ପଶିଥିଲେ। ଏହାଜାଣି ଲକ୍ଷ୍ମୀଙ୍କ ଶାଶୂ ତିଳୋତ୍ତମା ପରିବାର ସଦସ୍ୟମାନଙ୍କୁ ଜଣାଇବାପରେ ନବୀନ ମାଝୀ (୨୨), ସୁରେଶ ମାଝୀ(୨୦) ଏବଂ ବାପା ଶ୍ରଦ୍ଧାକର ମାଝୀ ଉକ୍ତ କୋଠରୀରେ ଉଭୟଙ୍କୁ ଦେଖି ଯୁକ୍ତିତର୍କ ସହ ସମସ୍ତେ ମିଶି ସୁମନ୍ତଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ସୂଚନାପାଇ ବାରକୋଟ ଥାନା ପୁଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ଅଭିଯୁକ୍ତମାନଙ୍କୁ ପଚରାଉଚୁରା ସମୟରେ ମୃତ ସୁମନ୍ତ ଲକ୍ଷ୍ମୀଙ୍କୁ ବିଭିନ୍ନ ସମୟରେ ବ୍ଲାକମେଲ କରି ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା କାରଣରୁ ସୁଯୋଗ ଅପେକ୍ଷାରେ ଥିବା ଶ୍ରଦ୍ଧାକରଙ୍କ ପରିବାର ପ୍ରତିଶୋଧ ନେଇଥିବା ତଦନ୍ତକାରୀ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ନିକଟରେ ସ୍ୱୀକାର କରିଥିଲେ। ଆଜି ମାଝୀ ପରିବାରର ସମସ୍ତ ୫ ଅଭିଯୁକ୍ତକୁ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।