ଚତୁର୍ଥ ଦିନରେ ଲକଡାଉନ୍ : ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି ଶ୍ରମିକ ପରିବାର

ନୂଆଦିଲ୍ଲୀ,ଏଜେନ୍ସି : କେନ୍ଦ୍ର ସରକାରଙ୍କ ୨୧ ଦିନିଆ ଲକଡାଉନ୍ ଘୋଷଣାରେ ଦେଶର ଶ୍ରମିକ ପରିବାର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ପେଟପାଟଣା ପାଇଁ ଘରଠାରୁ ଶତାଧିକ କିଲୋମିଟର ଦୂରରେ ରହୁଥିବା ମେହେନତି ମଣିଷ ଏବେ କାମଧନ୍ଦା ନପାଇ ଭୋକିଲା ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ବିଗତ ଦୁଇଦିନ ମଧ୍ୟରେ ଶତାଧିକ ଶ୍ରମିକ ପରିବାର ପିଲାଛୁଆଙ୍କୁ ଧରି ଘରକୁ ଫେରୁଛନ୍ତି। ପରିଣାମ ସ୍ୱରୂପ କିଛି ପରିବାର ଶତାଧିକ କିଲୋମିଟର ଚାଲିଚାଲି ଘରେ ପହଞ୍ଚୁଛନ୍ତି ତ କିଛି ଅଧାବାଟରେ ମୃତ୍ୟୁବରଣ କରୁଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ତିନି ଡଜନ ଶ୍ରମିକ ପରିବାର ବୁନ୍ଦେଲଖଣ୍ଡ ଅଭିମୁଖେ ଯାଉଥିଲେ। ସେମାନଙ୍କୁ ପଚାରିବାରୁ ଉତ୍ତର ମିଳିଥିଲା, ସେମାନେ ଅହମ୍ମଦାବାଦସ୍ଥିତ ଏକ ଶାଢ଼ୀ କାରଖାନାରେ କାମ କରୁଥିଲେ। ଅଚାନକ କାରଖାନା ବନ୍ଦ ହୋଇଯିବାରୁ ସେ କାମ ହରାଇଲେ। ଭୋକରେ ମରିବା ଅପେକ୍ଷା ପରିବାର ସମେତ ଘରକୁ ଫେରିବା ପାଇଁ ମନସ୍ଥ କରିଥିଲେ। କିନ୍ତୁ ବସ୍ ଅବା ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ସେମାନଙ୍କ ନିକଟରେ ଦୁଇଟି ବିକଳ୍ପ ଥିଲା।

ହଜାର ହଜାର କିଲୋମିଟର ଚାଲିଚାଲି ଘରେ ପହଂଚିବେ ନଚେତ୍ ଭୋକିଲା ପେଟରେ ମରିବେ। ବାଟ ଚାଲି ଘରେ ପହଂଚିବାକୁ ଉଚିତ୍ ମନେକରି ସେମାନେ ପରିବାର ସହ ଚାଲିବା ଜାରି ରଖିଛନ୍ତି। ବୁନ୍ଦେଲଖଣ୍ଡରେ କାମଧନ୍ଦା ନପାଇ ସେମାନେ ଅହମ୍ମଦାବାଦ ଚାଲି ଯାଇଥିଲେ। ଇଏ କେବଳ କିଛି ଶ୍ରମିକଙ୍କ ସମସ୍ୟା ନୁହେଁ। ଦେଶର ହଜାର ହଜାର ଶ୍ରମିକ ପରିବାରକୁ ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ବାଟରେ ଯାଉଥିଲା ବେଳେ କିଛି ଲୋକ ସେମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରି କିଛି ବାଟ ଗାଡ଼ିରେ ନେଇଯାନ୍ତି। ଭୋକ ହେଲେ ସାଙ୍ଗରେ ଆଣିଥିବା ଖାଦ୍ୟ ଖାଉଥିଲେ।

ତେବେ ଝାନ୍ସି ନିକଟରେ କିଛି ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ପୁରୀ ଓ ଡାଲ୍ମା ଖୁଆଇଥିଲେ। ଦିଲ୍ଲୀରୁ ମଧ୍ୟପ୍ରଦେଶର ମୁରୈନା ଅଭିମୁଖେ ଚାଲିଚାଲି ଯାଉଥିବା ରଣବୀର ସିଂହ ଆଗ୍ରା ନିକଟରେ ମୃତ୍ୟୁବରଣ କରିଥିଲେ। କ୍ରମାଗତ ଦୁଇଦିନ ଧରି ଚାଲିବା ପରେ ଶନିବାର ସକାଳେ ସେ ଆଗ୍ରାରେ ପହଂଚିଥିଲେ। ସେ ହୃଦଘାତର ଶିକାର ହୋଇ ମରିଛନ୍ତି ବୋଲି ତାଙ୍କ ସାଙ୍ଗରେ ଥିବା ଲୋକମାନେ ଆଶଙ୍କା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଂଚି ରଣବୀରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବାର ବନ୍ଦୋବସ୍ତ କରିଥିଲା। ଭ୍ରମର ସିଂହ ନାମକ ଅନ୍ୟ ଜଣେ ଶ୍ରମିକ କହିଛନ୍ତି ଯେ ସେ କ୍ରମାଗତ ତିନିଦିନ ଧରି ବାଟ ଚାଲୁଛନ୍ତି। ବାଟରେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ପୁରୀ ଓ ଭାତ ଖୁଆଇଥିଲେ।

ଆଗ୍ରା ବସଷ୍ଟାଣ୍ଡରେ ବସିଥିବା ମୁକେଶ କହିଛନ୍ତି ଯେ ସେ ୩ ଦିନ ପୂର୍ବରୁ କାନପୁରରୁ ଚାଲିବା ଆରମ୍ଭ କରିଥିଲେ। କାନପୁରରେ ସେ ଟାଇଲ୍ କାରଖାନାରେ କାମ କରୁଥିଲେ। କାମ ବନ୍ଦ ହୋଇଯିବାରୁ ଘରକୁ ଫେରିଯାଉଛନ୍ତି। ବାଟରେ ଦୋକାନ ବଜାର ବନ୍ଦ ଥିବାରୁ ଖୋଲାଥିବା କିଛି ଦୋକାନରେ ଖାଦ୍ୟଦ୍ରବ୍ୟ ସମେତ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ। ତେଣୁ ପାଖରେ ଥିବା ଟଙ୍କା ସରିଯିବ ଭାବି ଭଗବାନଙ୍କ ଭରସାରେ ବାଟ ଚାଲୁଛି। କିଛି ବଦାନ୍ୟ ଲୋକଙ୍କ ଦୟାରୁ ବାଟରେ ଖାଦ୍ୟ ମିଳିଯାଉଛି। ବାଲିଆ ଷ୍ଟେସନ୍ରେ କିଛି ଲୋକ ଭୋକିଲା ଥିଲେ। ସେମାନଙ୍କୁ କନ୍ଷ୍ଟେବଲ ଚନ୍ଦନ ଯାଦବ ବିସ୍କୁଟ୍ ଓ ପାଣି ଦେଇଥିଲେ।

ଚନ୍ଦନଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ଦିନ ମଜୁରିଆ ପାଟନାରୁ ଚାଲିଚାଲି ବାଲିଆ ଷ୍ଟେସନରେ ଅଟକିଥିଲେ।
ସେମାନେ ତିନିଦିନ ଭିତରେ ମାତ୍ର ୨ ଥର ଖାଇଛନ୍ତି। ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ସମାନ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ହରିଆଣାରେ କାମ କରୁଥିବା ଜୁନୈଦଙ୍କୁ ଗୋରଖପୁର ଯିବାର ଥିଲା। ବସ୍ ସୁବିଧା ନଥିବାରୁ ସେ ବାଟ ଚାଲିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ତାଙ୍କ ପାଖରେ ଥିବା ସବୁ ଟଙ୍କା ସରିଗଲାଣି। ତଥାପି ସେ କୌଣସିମତେ ଗୋରଖପୁରରେ ପହଂଚିବେ । ସେହିପରି ମାଉସ୍ଥିତ ସୁଖରାମ ପିଲାର ଚିକିତ୍ସା ପାଇଁ ଗାଜିଆବାଦ ଯାଇଥିଲେ। ମାତ୍ର କରୋନା କାରଣରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ମନା କରିଦେଲେ। ଏବେ ସେ ନିରୁପାୟ ଭାବେ ଗାଜିଆବାଦରେ ବୁଲୁଛନ୍ତି। ଦେଶର ପ୍ରତ୍ୟେକ ଭାଗରେ ଏପରି ଦୁର୍ଦ୍ଦଶା ଦେଖିବାକୁ ମିଳିଛି।