ଚତୁର୍ଥ ଆଶେସ୍ ଟେଷ୍ଟ୍‌: ଅଷ୍ଟ୍ରେଲୀୟ ବୋଲର୍‌ଙ୍କ ଜବରଦସ୍ତ ପ୍ରଦର୍ଶନ

ସିଡ୍‌ନୀ,ଏଜେନ୍ସି: ଅଷ୍ଟ୍ରେଲିଆ ଫାଷ୍ଟ ବୋଲିଂ ଆକ୍ରମଣ ଆଗରେ ପୁଣିଥରେ ଇଂଲଣ୍ଡ ବ୍ୟାଟିଂର ଦୁର୍ବଳତା ଦେଖିବାକୁ ମିଳିଛି। ଫଳରେ ଏଠାରେ ଚାଲିଥିବା ଚତୁର୍ଥ ଆଶେସ୍ ଟେଷ୍ଟର ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନ ମଧ୍ୟାହ୍ନଭୋଜନ ସୁଦ୍ଧା ଟିମ୍ ମାତ୍ର ୩୬ ରନ୍‌ରେ ୪ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା। ଗୁରୁବାରର ସ୍କୋର୍ ୧୩/୦ରୁ ଆଗକୁ ଖେଳିଥିବା ଇଂଲଣ୍ଡ କ୍ରମାଗତ ଭାବେ ୱିକେଟ୍ ହରାଇ ଚାଲିଥିଲା। ତେବେ ଏପରି ଏକ ଦୟନୀୟ ସ୍ଥିତିରୁ ଦଳକୁ ଉଦ୍ଧାର କରିଥିଲେ ଜନ୍ନି ବେୟାର୍‌ଷ୍ଟୋ। ଏହି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଜଣକ ୮ଟି ଚୌକା ଓ ୩ଟି ଛକା ସହ ୧୦୩ ରନ୍ କରି ଅପରାଜିତ ରହିବା ସହ ପଞ୍ଚମ ୱିକେଟ୍‌ରେ ଅଲ୍‌ରାଉଣ୍ଡର୍ ବେନ୍ ଷ୍ଟୋକ୍ସଙ୍କ ସହ ୧୨୮ ରନ୍ ଯୋଡ଼ି ଦଳକୁ ଫଲୋଅନ୍‌ରୁ ବଞ୍ଚାଇଥିଲେ।

ବେୟାର୍‌ଷ୍ଟୋଙ୍କ ବ୍ୟତୀତ ଷ୍ଟୋକ୍ସଙ୍କ ୬୬ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ଇନିଂସକୁ ଭିତ୍ତି କରି ଭ୍ରମଣକାରୀ ଇଂଲଣ୍ଡ ୭ ୱିକେଟ୍ ବିନିମୟରେ ୨୫୮ ରନ୍ କରିବାକୁ ସକ୍ଷମ ହୋଇଛି। ଅବଶ୍ୟ ଏବେ ବି ୪୧୬/୮ରେ ଇନିଂସ୍ ଘୋଷଣା କରିଥିବା ଅଷ୍ଟ୍ରେଲିଆ ୧୫୮ ରନ୍‌ରେ ଆଗୁଆ ରହିଛି। ତୃତୀୟ ଦିନରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ବେୟାର୍‌ଷ୍ଟୋଙ୍କ ସହ ୪ ରନ୍ କରି ଜ୍ୟାକ୍ ଲିଚ୍ ଅପରାଜିତ ଅଛନ୍ତି।
ବର୍ଷା କାରଣରୁ ତୃତୀୟ ଦିନର ଖେଳ ପାଖାପାଖି ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଖେଳ ଆରମ୍ଭ ହେବା ପରେ ପରେ ମେଘୁଆ ପାଗର ସୁଯୋଗ ନେଇ ଘରୋଇ ପେସର୍ ମିଚେଲ୍ ଷ୍ଟାର୍କ ଓ ସ୍କଟ୍ ବୋଲାଣ୍ଡ୍ ଇଂଲିଶ୍ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ମଧ୍ୟାହ୍ନଭୋଜନର ଅବ୍ୟବହିତ ପୂର୍ବରୁ ଡେୱିଡ୍ ମାଲାନ୍‌ଙ୍କୁ ପେସର୍ କାମେରନ୍ ଗ୍ରୀନ୍ ସ୍ଲିପ୍‌ରେ ଉସ୍‌ମାନ ଖୱାଜାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଏହା ପୂର୍ବରୁ ହସିବ ହମିଦ୍ ୨ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କର ଏକ କ୍ୟାଚ୍ ଷ୍ଟାର୍କଙ୍କ ବଲ୍‌ରେ ୱିକେଟ୍‌କିପର୍ ଆଲେକ୍ସ କ୍ୟାରୀ ହାତଛଡ଼ା କରିଥିଲେ। କିନ୍ତୁ ହମିଦ୍ ଏହି ଜୀବନଦାନର ଫାଇଦା ନେବାରେ ସକ୍ଷମ ହୋଇପାରି ନ ଥିଲେ ଓ ପରବର୍ତ୍ତୀ ଓଭର୍‌ରେ ସେ ଷ୍ଟାର୍କଙ୍କ ବଲରେ ଆଉଟ୍ ହୋଇଥିଲେ। ସେହିପରି ଜ୍ୟାକ୍ କ୍ରଲି (୧୮)ଙ୍କୁ ବୋଲାଣ୍ଡ୍ ଆଉଟ୍ କରିଥିଲେ ଏବଂ ତାଙ୍କର ପରବର୍ତ୍ତୀ ଓଭର୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ମଧ୍ୟ ସ୍ଲିପ୍‌ରେ କ୍ୟାଚ୍ ଦେଇ ସଅଳ ପ୍ୟାଭିଲିୟନ୍ ଫେରିଥିଲେ। ରୁଟ୍ ୭ଟି ବଲ୍ ଖେଳିଥିଲେ ମଧ୍ୟ ଖାତା ଖୋଲିପାରି ନଥିଲେ।

ଚତୁର୍ଥ ୱିକେଟ୍‌ର ପତନ ପରେ ଷ୍ଟୋକ୍ସ ଓ ବେୟାର୍‌ଷ୍ଟୋଙ୍କ ମଧ୍ୟରେ ୧୨୮ ରନ୍‌ର ଭାଗୀଦାରୀ ହୋଇଥିଲା। ତେବେ ଷ୍ଟୋକ୍ସଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆର ଭେଟେରାନ୍ ସ୍ପିନର୍ ନାଥନ୍ ଲିଅନ୍ ଏହି ପାର୍ଟନରଶିପ୍ ଭାଙ୍ଗିଥିଲେ। ଷ୍ଟୋକ୍ସଙ୍କ ଇନିଂସ୍‌ରେ ୯ଟି ଚୌକା ଓ ଗୋଟିଏ ଛକା ଥିଲା। ତାଙ୍କ ବିଦାୟ ପରେ ବ୍ୟାଟିଂ ପାଇଁ ଆସିଥିବା ଜୋସ୍ ବଟ୍‌ଲର୍ ଖାତା ଖୋଲିବା ପୂର୍ବରୁ କମିନ୍ସଙ୍କ ବଲ୍‌ରେ ଖୱାଜାଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ତେବେ ବଟ୍‌ଲର୍‌ଙ୍କ ସ୍ଥାନରେ ପିଚ୍‌କୁ ଆସିଥିବା ମାର୍କ ଉଡ୍ (୩୯)ଙ୍କୁ ସାଥୀ କରି ବେୟାର୍‌ଷ୍ଟୋ ସପ୍ତମ ୱିକେଟ୍‌ରେ ୭୨ ରନ୍‌ର ମହତ୍ତ୍ୱପୂର୍ଣ୍ଣ ପାର୍ଟନର୍‌ଶିପ୍ କରିଥିଲେ। ଇତିମଧ୍ୟରେ ବେୟାର୍‌ଷ୍ଟୋ ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ସପ୍ତମ ଶତକ ପୂରଣ କରିଥିଲେ।

ଏଥିପାଇଁ ସେ ୧୩୮ଟି ବଲ୍ ସହ ୧୨ଟି ଚୌକା ଓ ୩ଟି ଛକାର ସହାୟତା ନେଇଥିଲେ। ଚଳିତ ଆଶେସ୍ ସିରିଜ୍‌ରେ ଏହା କୌଣସି ଇଂଲିଶ୍ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ପ୍ରଥମ ଶତକ ଥିଲା। ଏହି ଇନିଂସ୍ ସହ ଟେଷ୍ଟ କ୍ରିକେଟ୍‌ରେ ଦୀର୍ଘ ୩ ବର୍ଷ ପରେ ଶତକ ମରୁଡ଼ିରେ ବେୟାର୍‌ଷ୍ଟୋ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଶେଷ ଥର ପାଇଁ ସେ ଗତ ୨୦୧୮ ନଭେମ୍ବରରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ୧୧୦ ରନ୍‌ର ଇନିଂସ୍ ଖେଳିଥିଲେ। ଏହାଛଡ଼ା ୨୦୧୧ ପରେ ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ ହାସଲ କରିବାରେ ବେୟାର୍‌ଷ୍ଟୋ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର୍ କୁକ୍‌ଙ୍କ ସମକକ୍ଷ ହୋଇଛନ୍ତି। ବେୟାର୍‌ଷ୍ଟୋ ଓ କୁକ୍‌ଙ୍କ ନାମରେ ଅଷ୍ଟ୍ରେଲିଆରେ ୨ଟି ଲେଖାଏଁ ଶତକର ରେକର୍ଡ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ୍ ଓ ଅଧିନାୟକ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଷ୍ଟାର୍କ, ଲିଅନ୍ ଓ ଗ୍ରୀନ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।

ସୂଚନାଯୋଗ୍ୟ ଯେ ବର୍ଷା ସତ୍ତ୍ୱେ ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡ୍ ଶୁକ୍ରବାର ପିଙ୍କ୍ ରଙ୍ଗରେ ରଙ୍ଗିନ୍ ହୋଇଉଠିଥିଲା। ଦେଶର କିମ୍ବଦନ୍ତୀ ପେସର୍ ଗ୍ଲେନ୍ ମ୍ୟାକ୍‌ଗ୍ରାଥ୍‌ଙ୍କ ଚ୍ୟାରିଟି ଫାଉଣ୍ଡେସନ୍ ପାଇଁ ସିଡ୍‌ନୀ ଟେଷ୍ଟର ତୃତୀୟ ଦିନଟିରେ ସବୁଠି ‘ପିଙ୍କ୍‌’ ରଙ୍ଗର ବ୍ୟବହାର ହୋଇଥାଏ ଓ ଏହା ଗତ ୧୪ ବର୍ଷ ଧରି ଜାରି ରହିଆସିଛି।