କୋରାପୁଟରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ: ଜୟପୁର ପାଲଟିଛି ହଟସ୍ପଟ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ୪୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୧ରେ ପହଞ୍ଚିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜୟପୁର ପୌରାଞ୍ଚଳରୁ ୩୪, ବୈପାରିଗୁଡ଼ା ବ୍ଲକରୁ ୫, କୋରାପୁଟ ପୌରାଞ୍ଚଳରୁ ୪, ଲକ୍ଷ୍ମୀପୁର ବ୍ଲକ୍ ତୋୟାପୁଟରୁ ୨, କାକିରିଗୁମ୍ମା, କୋଟପାଡ଼, ପଟ୍ଟାଙ୍ଗୀ ବ୍ଲକ୍ ଲାଉଡି ଓ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ ରହିଛନ୍ତି। ସେଥିମଧ୍ୟରୁ ସ୍ୱାସ୍ଥ୍ୟ ବିଭାଗର ୨ଜଣ କର୍ମଚାରୀ, ଜଣେ ପୁଲିସ୍ ଓ ଜଣେ ବିଏସଏଫ୍ କର୍ମଚାରୀ ରହିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନରେ ୪୬ ଜଣ, ଟିଏମସି କେନ୍ଦ୍ର, କଟକ ଏସସିବି ଓ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଲେଖାଏଁ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାର ପ୍ରମୁଖ ବ୍ୟବସାୟୀ କେନ୍ଦ୍ର ଜୟପୁର ସହର ଏବେ ହଟସ୍ପଟ୍ ପାଲଟିଛି। ସପ୍ତାହକ ମଧ୍ୟରେ କୋରାପୁଟ ଜିଲ୍ଲାରେ ମୋଟ ୩୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କେବଳ ଜୟପୁର ପୌରାଞ୍ଚଳରୁ ୧୫୫ ଜଣ ଆକ୍ରାନ୍ତ ବାହାରିବା ସହରବାସୀଙ୍କୁ ଆତଙ୍କିତ କରିଛି। ତେବେ ବଢ଼ୁଥିବା ସଂଖ୍ୟାକୁ ନେଇ କେହି ଭୟଭୀତ ନହେବା ସହ ଜିଲ୍ଲା ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ମାନିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।