୩ ବିମାନରେ ଆସିରେ ୪୬୦ ଓଡ଼ିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଆସି ପହଂଚିଛି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ମୋଟ୍ ୪୬୦ ଜଣ ପ୍ରବାସୀମାନେ ଓଡ଼ିଶା ଫେରଛନ୍ତି। ବିଶେଷ କରି ଟ୍ରେନ୍ ଚଳାଚଳ ସୁବିଧା ନଥିବା ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଥିଲେ। ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ଓ ଆସାମରେ ଓଡ଼ିଶାର ପ୍ରାୟ ୩୦୦ ବ୍ୟକ୍ତି ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ବୁଧବାର ଇମ୍ଫାଲରୁ ୧୩୮ଜଣଙ୍କୁ ବିମାନ ଯୋଗେ ଅଣାଯାଇଛି। ଏମାନଙ୍କୁ ଧରି ଆସିଥିବା ବିମାନ ଭୁବନେଶ୍ୱରରେ ୨.୩୦ରେ ପହଂଚିଥିଲା। ସେହିପରି ଆସାମ, ନାଗାଲାଣ୍ଡ, ତ୍ରିପୁରା ମେଘାଳୟ, ଆଦିରୁ ୧୩୭ ଯାତ୍ରୀଙ୍କୁ ଧରି ଗୋହାଟୀରୁ ମଧ୍ୟ ବିମାନ ଆସି ପହଂଚିଛି।

ଏହା ବ୍ୟତୀତ ମୁମ୍ବାଇରୁ ମଧ୍ୟ ୧୮୫ ଜଣ ଯାତ୍ରୀ ବିମାନ ଯୋଗେ ଆସି ପହଂଚିଥିବା ନେଇ ବିଏମସି ସୂଚନା ଦେଇଛି। ବର୍ତ୍ତମାନ ପ୍ରତିଦିନ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଆସି ପହଂଚୁଥିବା ବେଳେ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସେମାନଙ୍କୁ ବାହାରକୁ ଅଣାଯାଉଛି। ବିଏମସି ଟିମ୍ ସହିତ ସ୍ୱାସ୍ଥ୍ୟ ବିଭାଗ, କମିଶନରେଟ୍ ପୁଲିସ ଓ ବିମାନବନ୍ଦର କର୍ତ୍ତୃପକ୍ଷ ଏନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନେ ଆସିବା ପରେ ସେମାନଙ୍କୁ ୨୦ ଜଣ କରି ସାମାଜିକ ଦୂରତ୍ୱ ରକ୍ଷା କରି ଅଣାଯାଇଥିଲା। ସେହିପରି ପରେ ସେମାନଙ୍କୁ ହାତରେ ଅଲିଭା କାଳିରେ ଷ୍ଟାମ୍ପ୍ ଲଗାଯାଇ ନାମ ପଞ୍ଜୀକରଣ କରାଯାଇଥିଲା। ଆସିଥିବା ସମସ୍ତ ଯାତ୍ରୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ସହିତ ପେଡ୍ କ୍ୱାରେଣ୍ଟାଇନ୍ ଆଦି ବିଷୟରେ ସୂଚନା ଦିଆଯିବା ପରେ ସୁବିଧାମୂତାବକ ସେମାନେ କ୍ୱାରେଣ୍ଟାଇନକୁ ଯାଇଥିଲେ। ସେହିପରି ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରୁ ଆସିଥିବା ଯାତ୍ରୀମାନଙ୍କୁ ସରକାରୀ ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।