ଛଟ୍ ପୂଜା: ପ୍ରଶାସନିକ କଟକଣା ଉଲ୍ଲଙ୍ଘନ କରି ୪୬ ଗିରଫ

ଝାରସୁଗୁଡା,୨୦ା୧୧/ଏନ୍ଏନ୍ଏସ୍: ପ୍ରଶାସନିକ କଟକଣା ଉଲ୍ଲଙ୍ଘନ କରିବା ସହ ବ୍ୟାରିକେଟ ଭାଙ୍ଗି ଆଜି ଶହଶହ ଛଟ ବ୍ରତଧାରୀ ଚୌକିପଡା ପୋଖରୀ ଓ ଇବ୍ ଘାଟରେ ଏକତ୍ର ହୋଇଥିଲେ। ଏନେଇ ଚୌକିପଡା ପୋଖରୀରୁ ୩୧ ଜଣ ଓ ଲହଣ୍ଡାବୁଡ ଇବ ଘାଟରୁ ୧୫ ଜଣ ମୋଟ୍ ୪୬ ଜଣଙ୍କୁ ଝାରସୁଗୁଡା ପୁଲିସ ପ୍ରତିଶୋଧାତ୍ମକ ଗିରଫଦାରୀ କରିଥିବା ଝାରସୁଗୁଡା ଏସଡିପିଓ କୈଳାସ ଆଚାର୍ଯ୍ୟ ସୂଚନା ଦେଉଛନ୍ତି।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜିଲ୍ଲାର ୩୭ଟି ପୋଖରୀ ଓ ଇବ ନଦୀ ଘାଟରେ ଧାରା ୧୪୪ ଜାରି କରି ୨୦ ତାରିଖ ସଂନ୍ଧ୍ୟା ୪ଟାରୁ ୬ଟା ଯାଏ ଏବଂ ୨୧ ତାରିଖ ଭୋର ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୫ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକତ୍ରିତ ହେବାପାଇଁ ବାରଣ କରିଥିଲା। ଏହି ପରୀପ୍ରେକ୍ଷୀରେ ଆଜି ଜିଲ୍ଲାର ସଂବେଦନଶୀଳ ୧୫ଟି ପୋଖରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ମୁତୟନ କରାଯିବାସହ ଚୌକିପଡ଼ା, ବୁରୋମାଲ ଓ ଇବନଦୀ ଘାଟରେ ପ୍ରଶାସନ ପକ୍ଷରୁ ବାଡ଼ଦେବା ସହିତ ପୁଲିସ ମୁତୟନ କରାଯାଇଥିଲା। ହେଲେ ମଧ୍ୟ ଅପରାହ୍ଣ ୪ଟା ପରେ ଧିରେଧିରେ ଚୌକିପଡ଼ା ପୋଖରୀ ନିକଟରେ ଛଟ ବ୍ରତଧାରୀମାନେ ଏକତ୍ରିତ ହେବାରେ ଲାଗିଲେ। ସେଠାରେ ଉପସ୍ଥିତି ରହିଥିବା ଉପ ଜିଲ୍ଲାପାଳ ଶିବ ଟପ୍ପୋ, କୋଲାବିରା ତହସିଲଦାର ଗୋଳକ ବିହାରୀ ମଙ୍ଗରାଜ, ଝାରସୁଗୁଡ଼ା ଏସଡ଼ିପିଓ କୈଳାଶ ଆଚାର୍ଯ୍ୟ, ଟାଉନଥାନା ଅଧିକାରୀ ସାବିତ୍ରୀ ବଳ ପ୍ରମୁଖ ସେମାନଙ୍କୁ ଶହଶହ ଲୋକ ଏକତ୍ରିତ ନହୋଇ ଜିଲ୍ଲା ପ୍ରାସଶନର ନିର୍ଦ୍ଦେଶକୁ ପାଳନ କରନ୍ତୁ ବୋଲି ବୁଝେଇବାକୁ ଚେଷ୍ଟା କରିଥିଲେ। ହେଲେ ବ୍ରତଧାରୀମାନେ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ସହିତ ଝଗଡ଼ା କରିଥିଲେ। ଫଳରେ ଏହି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇବାସହ ବ୍ରତଧାରୀମାନେ ପୁଲିସର କଟକଣା ନମାନି ପୋଖରୀକୁ ପଶି ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଥିଲେ।