ରାଜଧାନୀରୁ ପୁଣି ୪୫୧ କୋଭିଡ ପଜିଟିଭ ଚିହ୍ନଟ, ୧୧୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଚାଲିଥିବା ବେଳେ ରାଜ୍ୟ ରାଜଧାନୀରେ ଆଜି ଆଉ ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ୯୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ରହିଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ନୟାପଲ୍ଲୀରୁ ୨୯ ଜଣ, ବରମୁଣ୍ଡାରୁ ୨୧ ଜଣ, ପଟିଆରୁ ୧୭ ଜଣ, ଲକ୍ଷ୍ମୀସାଗରରୁ ୧୭ ଜଣ, ଖଣ୍ଡଗିରିରୁ ୧୩ ଜଣ, ବଡ଼ଗଡ଼ରୁ ୧୩ ଜଣ, ପୁରୁଣା ବଜାରରୁ ୧୨ ଜଣ, ବମିଖାଲରୁ ୧୨ ଜଣ, ପୋଖରିପୁଟରୁ ୧୧ ଜଣ, ଟଙ୍କପାଣି ରୋଡରୁ ୧୧ ଜଣ, ୟୁନିଟ୍ ୮ ଓ ରସୁଲଗଡ଼ରୁ ୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜଧାନୀରେ ମୋଟ ସଂକ୍ରମଣ ସଂଖ୍ୟା ୩୫ ହଜାର ୩୪୧ରେ ପହଞ୍ଚିଛି। ଅନ୍ୟପଟେ ୧୧୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୨ ହଜାର ୭୫୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୫୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୧୫ ଜଣ ଚିକିତ୍ସାଧୀନ ଅଛନ୍ତି।