ଫାଶ୍ ଟ୍ୟାଗ୍ କଲେକ୍ସନ୍‌ରେ ରେକର୍ଡ: ମାର୍ଚ୍ଚରେ ସଂଗୃହୀତ ହେଲା ୪୦୯୫ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଦେଶ ଧୀରେ ଧୀରେ ଡିଜିଟାଲ ଆଡକୁ ଅଗ୍ରସର ହେଉଥିବା ବେଳେ ବଢିଛି ଫାଶ୍ ଟ୍ୟାଗ୍ କଲେକ୍ସନ୍। ୨୦୧୬ରେ ଫାଶ୍ ଟ୍ୟାଗ୍ ଲଞ୍ଚ ହେବା ପରଠାରୁ ନିଜର ସର୍ବାଧିକ କଲେକ୍ସନ ରେକର୍ଡ କରିଛି। ମାର୍ଚ୍ଚ ମାସରେ ୪୦୯୫ କୋଟି ଟଙ୍କାର ଆୟ ହୋଇଥିବା ବେଳେ ଏହା ସର୍ବକାଳୀନ ରେକର୍ଡ ହୋଇଛି। ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ମାସରେ ୪ ହଜାର କୋଟି ଆୟ ହୋଇଥିବା ବେଳେ ଆର୍ଥିକ ବର୍ଷରେ ଆୟ ହୋଇଛି ୩୮ ହଜାର ୮୪ କୋଟି। ବିଗତ ବର୍ଷ ତୁଳନାରେ ଫାଶ୍‌ଟ୍ୟାଗ୍ ଆୟରେ ୬୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ସେହିପରି ୩୮ ହଜାର କୋଟିର ଏକ ତୃତୀୟାଂଶ ଅନ୍ତିମ ୩ ମାସରେ ସଂଗୃହୀତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

ଫେବୃଆରୀ ପରଠାରୁ ଫାଶ୍ ଟ୍ୟାଗ୍ କଲେକ୍ସନ ଅଦ୍ଭୂତପୂର୍ବ ଭାବରେ ବଢିଥିଲା। ଫେବୃଆରୀ ପରଠାରୁ ଆୟ ୧୩ ପ୍ରତିଶତ ବଢି ଯାଇଥିଲା। ଚଳିତ ବର୍ଷକ ମଧ୍ୟରେ ସମୁଦାୟ ୨୭ କୋଟି ଫାଶ ଟ୍ୟାଗ ଦେଣନେଣ ହୋଇଥିବା ବେଳେ ଶେଷ ଦୁଇ ମାସରେ ୫ କୋଟି ନୂତନ ଫାଶ୍ ଟ୍ୟାଗ ଇସ୍ୟୁ କରାଯାଇଥିଲା। ଏନ୍‌ପିସିଆଇ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ଫେବୃୟାରୀ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୋଲ ଗେଟର ସମସ୍ତ ଲେନ୍‌କୁ ଫାଶ୍ ଟ୍ୟାଗ ସହିତ ସଞ୍ଜୁକ୍ତ କରାଯାଇଥିଲା।

କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଅନୁଯାୟୀ ଦେଶରେ ୯୭ ପ୍ରତିଶତ ବ୍ୟକ୍ତିଗତ ଗାଡି ଫାଶ୍ ଟ୍ୟାଗ୍ ସହିତ ସମ୍ପୃକ୍ତ। ଅନ୍ୟ ପକ୍ଷରେ ସଡକ ଓ ପରିବହନ ସଚିବ ଗିରିଧର ଅର୍ମାନେ ୨୦୨୨-୨୩ ବର୍ଷରେ ୩୫ ହଜାର କୋଟିର ରାଜସ୍ୱ ଆୟ ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ୨୦୨୫ ସୁଦ୍ଧା ୫୦ ହଜାର କୋଟି ଟଙ୍କାର ରାଜସ୍ୱ ଆୟ ଲକ୍ଷ୍ୟ ରଖାଯାଇଥିବା ସଚିବ ପ୍ରକାଶ କରିଛନ୍ତି।