ଭୁବନେଶ୍ୱର,ଏନ୍ଏନ୍ଏସ୍: ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ରବିବାର ରାଜଭବନ ଉଦ୍ୟାନ ଖୋଲାଯାଇଥିବା ବେଳେ ପ୍ରଥମ ଦିନରେ ୪ ହଜାରରୁ ଊଦ୍ଧ୍ୱର୍ ଲୋକ ବୁଲିବାକୁ ଆସିଥିଲେ। ଏଠାରେ ଗୋଲାପ ଉଦ୍ୟାନଠାରୁ ଆରମ୍ଭ କରି ବିଭିନ୍ନ କିସମର ଫୁଲ ଯଥା ଗେଣ୍ଡୁ, ସେବତୀ, ଗ୍ଲାଡିଓଲି, ଡାଲିଆ, ଜିନିଆ, କାନୁନ୍ଡୋଲା, ସାଲ୍ଭିଆ ଭଳି ୩୯ କିସମର ଫୁଲର ସମ୍ଭାର ଦେଖିବାକୁ ମିଳିଥିଲା। ଏହାସହ ସବୁଜ ଲନ୍, ହରିଣ ଉଦ୍ୟାନ, ସଙ୍ଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍ ଏବଂ ପକ୍ଷୀ ଏନ୍କ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ପ୍ରଥମ ଦିନରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକେ ଉଦ୍ୟାନ ବୁଲିବାକୁ ଆସିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ରବିବାର ଓ ଛୁଟିଦିନ ମଧ୍ୟ ଏହି ଉଦ୍ୟାନ ଖୋଲା ରହିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ଟାରୁ ୫ଟା ମଧ୍ୟରେ ସର୍ବସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ସେହିପରି ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରୀଛାତ୍ରମାନେ ୬ରୁ ୨୧ ତାରିଖ ପର୍ୟ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟହ ସକାଳ ୮ଟା ୩୦ ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ। ଏଥି ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ଅନୁରୋଧପତ୍ର ପ୍ରେରଣ କରିବାକୁ କୁହାଯାଇଛି। ପରିଦର୍ଶନ ପାଇଁ ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟର ମାଧ୍ୟମରେ ହାତ ପ୍ରସ୍ତୁତ ପ୍ରବେଶପତ୍ର ଉପଲବ୍ଧ ଥିବାବେଳେ ମୋବାଇଲ ଆପ୍ ଦ୍ୱାରା ରାଜଭବନର ଓ୍ବେବ୍ସାଇଟ୍ରୁ ପ୍ରବେଶପତ୍ର ପାଇପାରିବେ।