ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କଶ୍ମୀରର କୁଲଗାଁ ଏବଂ ପୁଲୱାମା ଜିଲ୍ଲାରେ ଗତ ୧୬ଘଣ୍ଟା ମଧ୍ୟରେ ଦୁଇ ଭିନ୍ନ ଏନ୍କାଉଣ୍ଟରରେ ୪ଜଣ ଆତଙ୍କୀ ନିହତ ହୋଇଛନ୍ତି । ପୁଲିସ-ସେନାର ଏହି ମିଳିତ ଏନ୍କାଉଣ୍ଟରରେ ଏକ ଏମ୍-୪ ବନ୍ଧୁକ ସହ ବିପୁଳ ମାତ୍ରାରେ ଗୋଳା ବାରୁଦ ଜବତ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ କୁଲଗାଁର ଚିଙ୍ଗମ ଅଞ୍ଚଳରେ ଆରମ୍ଭ ହୋଇଥିବା ଏନ୍କାଉଣ୍ଟର ଶନିବାର ସକାଳ ୮ଟାରେ ସମ୍ପନ୍ନ ହୋଇଥିଲା । ଏଥିରେ ଜୈଶ-ଏ-ମହମ୍ମଦର ଦୁଇଜଣ ଆତଙ୍କୀ ନିହତ ହୋଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଡିଜିପି ଦିଲ୍ବାଗ ସିଂ ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଲୱାମାର ଦାଦୁରା ଗ୍ରାମରେ ଦିପ୍ରହର ସାଢେ ତିନିଟା ବେଳକୁ ଏନ୍କାଉଣ୍ଟରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ସେମାନଙ୍କଠାରୁ ଦୁଇଟି ଏକେ-୪୭ ରାଇଫଲ ଜବତ କରାଯାଇଛି । ଏ ସମ୍ପର୍କରେ କଶ୍ମୀର ଜୋନ୍ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ନିହତ ଦୁଇ ଆତଙ୍କୀ ପୁଲୱାମା ଜିଲ୍ଲା ଜଙ୍ଗଲପୋରା ଅଞ୍ଚଳର ବୋଲି ଜଣାପଡ଼ିଛି ।