ସ୍ୱତନ୍ତ୍ର ଟ୍ରେନରେ ୫ ଯାତ୍ରୀ କରୋନା ପଜେଟିଭ ଚିହ୍ନଟ ପରେ କ୍ୱାରେଣ୍ଟାଇନରେ ୪ ରେଳ କର୍ମଚାରୀ

ଚେନ୍ନାଇ,ଏଜେନ୍ସି: ଦିଲ୍ଲୀ-ଚେନ୍ନାଇ ରାଜଧାନୀ ସ୍ୱତନ୍ତ୍ର ଟ୍ରେନର ପାଞ୍ଚ ଜଣ ଯାତ୍ରୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ରେଳବାଇ ୪ଜଣ ରେଳ କର୍ମଚାରୀଙ୍କୁ କୋଭିଡ-୧୯ର ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛି। ସୂଚନା ଅନୁସାରେ ଉକ୍ତ ୪ ଜଣ କର୍ମଚାରୀ ଦିଲ୍ଲୀ ଡିଭିଜନର ଟ୍ରେନରେ ଟିକେଟ ଯା଼ଞ୍ଚ କର୍ମଚାରୀ ଥିଲେ। ତେବେ ଟ୍ରେନରେ ଯାଉଥିବା ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ୪ ରେଳ କର୍ମଚାରୀଙ୍କୁ ସଂଗରୋଧରେ ରଖାଯାଇଛି।

ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏହି ଟ୍ରେନରେ ପାଞ୍ଚ ଜଣ ଯାତ୍ରୀ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଚାରି ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଟ୍ରେନର ବି୧୧ କୋଚ୍ ଏବଂ ଜଣେ ବ୍ୟକ୍ତି ଟ୍ରେନର ଏ୫ କୋଚରେ ବସିଥିଲେ ବୋଲି ସୂଚନା ମିଳିଛି। ରେଳବାଇର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ସମସ୍ତ କର୍ମଚାରୀଙ୍କର ରେଳବାଇ ଡାକ୍ତରଖାନାରେ ଯାଞ୍ଚ କରାଯିବ। ଉକ୍ତ ଟ୍ରେନରେ ଏହି କର୍ମଚାରୀ ମାନେ ଡ୍ୟୁଟି କରୁଥିବାରୁ କାଲେ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବେ ସେଥିପାଇଁ ୪ ଜଣ ରେଳ କର୍ମଚାରୀଙ୍କର ବି କୋଭିଡ-୧୯ ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି।