ଶ୍ରୀନଗର : ଜାମ୍ମୁ-କାଶ୍ମୀରର ରାଜୋରୀର କେରୀ ସେକ୍ଟରରେ ବୁଧବାର ସକାଳେ ପାକିସ୍ତାନୀ ସେନା ପକ୍ଷରୁ ପ୍ରବଳ ଗୁଳିମାଡ଼ କରାଯାଇଛି। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ଭାରତୀୟ ସେନାର ଜବାବରେ ୪ ପାକ୍ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଏହା ସହିତ ପାକ୍ ସେନାର କେତେକ ଶିବିର ଧ୍ଵଂସ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଶାହପୁର, କୀରନି ଏବଂ ବାଲାକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଅପରାହ୍ନ ୪ଟାରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ପାକ୍ ସେନା ପକ୍ଷରୁ ସେନା ଶିବିରକୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିଲା। ବୁଧବାର ସକାଳେ ମଧ୍ୟ ପାକ୍ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିରେ ପାକ୍ ସେନାର ୩ଟି ଶିବିର ଧ୍ଵଂସ ହୋଇଯାଇଥିଲା। ଏହା ସହିତ ୪ ପାକ୍ ସୈନ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି।