ବଲାଙ୍ଗିରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ: ୩୭ ସକ୍ରିୟ, ୧୫୦ ସୁସ୍ଥ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଗତକାଲି ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇତି ମଧ୍ୟରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭ରେ ପହଞ୍ଚିଛି। ସେଥିରୁ ୩୭ଟି ମାମଲା ସକ୍ରିୟ ଥିବାବେଳେ ୧୫୦ ଜଣ ସୁସ୍ଥ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରେ ପାଟଣାଗଡ଼, ମୂରୀବାହାଲ, ଆଗଲପୁର ଓ ଲୋଇସିଂହା ବ୍ଲକରୁ ଜଣେ ଲେଖାଏଁ ଅଛନ୍ତି। ପାଟଣାଗଡ଼ ବ୍ଲକ୍ କେନ୍ଦୁମୁଣ୍ଡିରୁ ଚିହ୍ନଟ ହୋଇଥିବା ୩୦ ବର୍ଷର ଯୁବକ ଓମାନରୁ ଫେରି ମେ’୧୭ରୁ ୨୪ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ମୂରୀବାହାଲ ବ୍ଲକ ଟୋଟୋପଡ଼ା ପଞ୍ଚାୟତରୁ ଚିହ୍ନଟ ହୋଇଥିବା ୨୯ ବର୍ଷର ଯୁବକ ମହାରାଷ୍ଟ୍ର ଫେରନ୍ତା ହୋଇଥିବାବେଳେ ଜୁନ୍ ୧୧ରୁ ୨୫ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ଆଗଲପୁର ବ୍ଲକ୍ ଡୁଡୁକା ପଞ୍ଚାୟତରୁ ଚିହ୍ନଟ ହୋଇଥିବା ୨୯ ବର୍ଷର ଯୁବକ ମହାରାଷ୍ଟ୍ର ଫେରନ୍ତା ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ସେହିପରି ଲୋଇସିଂହା ବ୍ଲକ୍ ଗଡଶଙ୍କର ଡୁଙ୍ଗୁରିପାଲି ପଞ୍ଚାୟତର ଜଣେ ୨୯ ବର୍ଷର ଯୁବକ ଦିଲ୍ଲୀରୁ ଫେରି ଜୁନ୍ ୨୯ ଓ ୩୦ରେ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।