କରୋନା ନେଲା ୪ ଦିନରେ ୪ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର, ଏନ୍ଏନ୍ଏସ୍: ଜନ ସାଧାରଣଙ୍କୁ ସଚେତନା କରିବା ଲାଗି ଦିନ ରାତି ଅହରହ ପ୍ରଚେଷ୍ଟା ଚଳାଇ ଆସୁଥିବା ଦେଶର ଚତୁର୍ଥ ସ୍ତମ୍ଭ ମଧ୍ୟ ଏହି କରୋନା ଜାଲରୁ ମୁକୁଳି ପାରିନାହିଁ। ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ ୪ ସାମ୍ବାଦିକ କରୋନାରେ ଆଖି ବୁଜିଛନ୍ତି। ଶୁକ୍ରବାର କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା(୨୫)ଙ୍କ ମୃତ୍ୟୁ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଅନୁଭବ କରି ହୋମ ଆଇସଲୋସେନରେ ଥିଲେ। ଗତ ଦୁଇ ଦିନ ତଳେ ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନା ନମୁନା ପରୀକ୍ଷାରୁ ପଜିଟିଭ ଜଣାପଡ଼ିଥିଲା। କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ଅକ୍ସିଜେନ ନେବାରେ ସମସ୍ୟା ହେବାରେ ଲାଗିଥିଲା। ଫଳରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ତରଫରୁ ସୂଚନା ଦିଆଯାଇଛି। ସେ ଜଣେ ଭଲ କ୍ରୀଡ଼ାବିତ ଭାବେ ଖୋଖୋ ଖେଳରେ ଜିଲ୍ଲା ପାଇଁ ଗୌରବ ଆଣିଥିଲେ।

ସେହିପରି ‘ନିତିଦିନ’ ଖବର କାଗଜର ଚିକିଟି ବ୍ଲକ୍ ସାମ୍ବାଦିକ ମନୋଜ କୁମାର ସାହୁ ଆଜି ୧୦ଟାରେ କରୋନାରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି। ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ଅକ୍ସିଜେନ ନେବାରେ ସମସ୍ୟା ହେଉଥିବା ଯୋଗୁ ସେ ଗତ ଦୁଇଦିନ ତଳେ ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେହିପରି ଗତ ୨୦ ତାରିଖରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଶେରଗଡ ଅଞ୍ଚଳର ଅନୁପମ ଭାରତ ବରିଷ୍ଠ ସାମ୍ବାଦିକ କରୁଣାକର ସାହୁ (୫୫ ) ଏବଂ ଛତ୍ରପୁରର ସାମ୍ବାଦିକ ନରେଶ ବେହେରାଙ୍କ ମୃତ୍ୟୁ ଘଟିଛି। ଏଭଳି ଭାବେ ୪ ଦିନରେ ୪ ସାମ୍ବାଦିକଙ୍କ ଅକାଳ ବିୟୋଗ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି। ଏହି ଖବର ପ୍ରକାଶ ହେବା ପରେ ଏହାକୁ ନେଇ ବ୍ରହ୍ମପୁର ପ୍ରେସ୍ କ୍ଳବ୍ ଓ ଗଞ୍ଜାମ ପ୍ରେସ୍ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ସହ ଆତ୍ମାର ସଦଗତି କାମନା କରାଯାଇଛି।