ସିମନବାଡ଼ି ସଂରକ୍ଷିତ ଜଙ୍ଗଲରୁ ୪ କାଠ ମାଫିଆ ଗିରଫ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିମନବାଡ଼ି ସଂରକ୍ଷିତ ଜଙ୍ଗଲରୁ ବୁଧବାର ୪ଜଣ କାଠମାଫିଆଙ୍କୁ ଗିରଫ କରାଯାଇଛି। ଏହି ସମୟରେ ସେମାନଙ୍କ ନିକଟରୁ ୧୦ ଖଣ୍ଡ ଶାଳ ସାଇଜ ସହିତ ୩ଟି କରତ ଓ ୩ଟି ଟାଙ୍ଗିଆ ଜବତ କରାଯାଇଥିବା ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ ଧାରୁଆ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଡହ ଅଞ୍ଚଳର ରାଜୁ ନାୟକ, ରଜତ ନାୟକ, କୈଳାସ ନାୟକ, ଅକ୍ଷୟ ନାୟକ।

ଏହି କାଠର ଆନୁମାନିକ ମୂଲ୍ୟ ପାଖାପାଖି ୨୦ହଜାରରୁ ଊଦ୍ଧ୍ୱର୍ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ବୁଧବାର ସକାଳେ ସିମନବାଡ଼ି ସଂରକ୍ଷିତ ଜଙ୍ଗଲର ଗଡ଼ଦି ଜଙ୍ଗଲରେ କିଛି ଦୁର୍ବୁତ୍ତ ଜଙ୍ଗଲ ମଧ୍ୟରେ ବେଆଇନ ଭାବରେ ଗଛ କାଟୁଥିବା ନେଇ ଦାରିଙ୍ଗବାଡ଼ି ବନାଞ୍ଚକ ଅଧିକାରୀ ସତୀଶ ଧାରୁଆ କୌଣସି ସୂତ୍ରରୁ ଖବରପାଇଥିଲେ। ପରେ ତାଙ୍କ ନେତୃତ୍ୱରେ ସିମନବାଡ଼ି ବନପାଳ ହରିହର ବେହେରା, ବୁଡ଼ାଗୁଡା ବନପାଳ ରବିମୋହନ ନାୟକ, ବାଡ଼ା ବାଙ୍ଗା ବିଟ ବନରଖି ସୁଜାତା ସାହୁ ପ୍ରମୁଖ ଜଙ୍ଗଲରେ ଚଢ଼ଉ କରିଥିଲେ।

ଏହି ସମୟରେ ଗଛ କାଟୁଥିବା ଅବସ୍ଥାରେ ୧୦ଟି କାଠ ସାଇଜ ସହିତ ଅନ୍ୟାନ୍ୟ କାଠ କାଟିବା ଯନ୍ତ୍ରାଂଶକୁ ଜବତ କରିଥିଲେ। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ସ୍କ୍ୱାର୍ଡ ପାର୍ଟିର ବନମାଳୀ ଗୌଡ଼ କାନ୍ହୁ ବେହେରା, କୃଷ୍ଣ ବେହେରା ପ୍ରମୁଖ ସାମିଲ ଥିଲେ।