ରାଉରକେଲାରେ ୧୩୮ କୋଟି ଜିଏସଟି ଠକେଇ: ମାଷ୍ଟରମାଇଣ୍ଡ ସମେତ ୪ଗିରଫ

ରାଉରକେଲା,ଏନ୍ଏନ୍ଏସ୍: ପୁଣି ରାଉରକେଲାରେ ବଡ ଧରଣର ଜିଏସଟି ଠକେଇ। ଭୁବନେଶ୍ୱର ଓ ସମ୍ବଲପୁର ଜିଏସଟି ଆର୍ଥିକ ଅପରାଧ ଶାଖା ଆଜି ରାଉରକେଲାରୁ ମିଥ୍ୟାବିଲ ଓ ଅନ୍ୟ ଠକେଇ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିବା ନେଇ ଜିଏସଟି କମିଶନର ଶୁଶିଲ ଲୋହାନୀ ସୂଚନା ଦେଇଛନ୍ତି। ସୂଚନାଅନୁଯାୟୀ, ଶୁକ୍ରବାର ସକାଳୁ ଅତ୍ୟନ୍ତ ଗୋପନୀୟତା ଅବଲମ୍ବନ କରି ଭୁବନେଶ୍ୱର ଓ ସମ୍ବଲପୁରର ଜିଏସଟି ଆର୍ଥିକ ଅପରାଧ ଶାଖାର ୩ଟି ଦଳ ଆସି ରାଉରକେଲାର ୨ ଜଣ ବ୍ୟବସାୟୀ ଓ ଜଣେ କର୍ମଚାରୀଙ୍କୁ ଦୀର୍ଘ ସମୟ ଜେରା କରିଥିଲା।

ଆଜି ସକାଳୁ ପ୍ଲାଂଟାସାଇଟ ଥାନା ଅନ୍ତର୍ଗତ ହୋଟେଲ ଡିଙ୍ଗିଡ଼ୋନା ମାଡ଼ୁମହାରାଜ ଗଳିରେ ହଠାତ ଏହି ଶାଖା ଦଳ ସ୍ଥାନୀୟ ପୁଲିସ ସହଯୋଗରେ ପହଂଚିଥିଲା। ସେଠାରେ ଦୀର୍ଘ ଦିନରୁ ବାସ କରୁଥିବା ବ୍ୟବସାୟୀ ଦିନଦୟାଲ ଅଗ୍ରୱାଲ(ବିଟୁ) ଓ ତାଙ୍କ ପ୍ରମୁଖ ସହଯୋଗୀ ଅତୁଲ ବଂଶଳଙ୍କୁ ପଚରାଉଚୁରା ଆରମ୍ଭ କରିଥିଲା। ସେମାନଙ୍କ ଘର ଓ କାର୍ଯ୍ୟାଳୟ ଖାନ ତଲାସୀ କରିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ ଜବତ କରିଥିଲା।

ଯାଜପୁର ରୋଡ଼ରେ ଥିବା ଏକ କମ୍ପାନୀ ଠାରୁ କୋଟିକୋଟି ଟଙ୍କାର ୱେବିଲ ଓ ମିଥ୍ୟା କାଗଜ ଦେଖାଇ ଏମାନେ କୁଆଡ଼େ ଲୌହ ଓ ସ୍କ୍ରାପ ବେପାର କରିଥିଲେ। ଉକ୍ତ କାର୍ଯ୍ୟରେ କର୍ମଚାରୀ ଆଦିତ୍ୟ ନାୟକଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା। ପରେ ଏହି ୪ଜଣଙ୍କୁ ଗିରଫ କରାଯାଇଛି।