ବାଙ୍ଗାଲୁରୁରେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟଣା, ଜିଲ୍ଲା ପ୍ରଶାସନର ସହାୟତାରେ ଆସୁଛି ୪ ମୃତଦେହ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ବାଙ୍ଗାଲୁରୁରେ ରୋଷେଇ କଲାବେଳେ ଗ୍ୟାସ ଟାଙ୍କି ଫାଟିବା ଘଟଣାରେ  ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବତୀଙ୍କ ଚିକିତ୍ସା ଚାଲିଛି। ଜିଲ୍ଲା ପ୍ରାଶସନର ସହାୟତାରେ ଆସନ୍ତାକାଲି ୪ଜଣଙ୍କ ମୃତଦେହ ଓଡିଶା ପହଞ୍ଚିବ ବୋଲି ଜଣାପଡ଼ିଛି। ଗୋଟିଏ ଆମ୍ବୁଲାନ୍ସ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଆସୁଥିବାବେଳେ ଗୋଟିଏ ରାୟଗଡା ଜିଲ୍ଲା ବିଷମକଟକ ଅଭିମୁଖେ ବାହାରିଛି। ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ୩ଜଣ ଯୁବତୀ ଓ କୋଟଗଡ଼ ବ୍ଲକର ଜଣେ ଯୁବକ ଏବଂ ରାୟଗଡା ଜିଲ୍ଲା ବିଷମକଟକର ଜଣେ ଯୁବତୀ ବାଙ୍ଗାଲୁରୁରେ ଏକ କମ୍ପାନୀରେ କାମ କାମକରୁଥିବାବେଳେ ଗୋଟିଏ ଘର ଭଡାନେଇ ରହୁଥିଲେ। ଗତ ମଙ୍ଗଳବାର ରୋଷେଇ କଲାବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ରବିବାର ସୁଦ୍ଧା ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଛିି। ତେବେ ମୃତଦେହ ଗ୍ରାମକୁ ଫେରାଇ ଆଣିବାକୁ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. ରାଜ୍ୟ ଲେବର କମିଶନରଙ୍କ ସହ ଏନେଇ କଥା ହୋଇଥିଲେ। ରବିବାର ସେଠାରୁ ମୃତଦେହ ଗୁଡିକୁ ନେଇ  ଆମ୍ବୁଲାନ୍ସ ବାହାରିଛି । ମୃତଦେହ  ପଠାଇବାରେ କନ୍ଧମାଳ ଜିଲ୍ଲାର ଯୁବକ ଅନୀଲ କୁମାର ସିଂ, ସୁଜିତ କୁମାର ନାୟକ ଓ ଅବନୀ ସିଂ ପ୍ରମୁଖ ସହଯୋଗ କରିଛନ୍ତି।