ବାଘ ଛାଲ ଜବତ, ୪ କୋର୍ଟଚାଲାଣ

  • ଦେବଗଡ଼,ରିଆମାଳ, ଏନଏନଏସ: ଦେବଗଡ ବନଖଣ୍ଡ ଅନ୍ତର୍ଗତ ରିଆମାଳ ବନ ବିଭାଗ ବୁଧବାର ଗୋଟିଏ ବାଘ ଛାଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ରାମ କିଡୋଙ୍କ ପୁଅ ରତିଆ କିଡୋ (୨୯)ଏକ ବାଘ ଶିକାର କରି ଘରେ ଛାଲ ରଖିଥିଲେ। କୌଣସି ସୂତ୍ରରୁ ରିଆମାଳ ବନବିଭାଗ ସୂଚନା ପାଇଥିଲା। ବାଘ ଛାଲ ଓ ଶିକାରୀକୁ ଗିରଫ କରିବା ପାଇଁ ବନ ବିଭାଗ ବହୁଦିନ ହେବ ଉଦ୍ୟମ ଚଳାଇ ଆସିଥିଲା। ଏନେଇ ଦେବଗଡ ଡିଏଫଓ କ୍ଷମା ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ରିଆମାଳ ରେଞ୍ଜର ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଦେବଗଡ ଫରେଷ୍ଟର ପ୍ରସନ୍ନ କୁମାର ସାହୁ, ଲଇମୁରା ଫରେଷ୍ଟର ଛବିଳ ବେହେରା, ଦେବଗଡ ଫରେଷ୍ଟର ଭୋଳେଶ୍ୱର ବେହେରା, ତିଲେଇବଣୀ ଫରେଷ୍ଟଗାର୍ଡ ଅଶୋକ ପାନ୍ନା, ପାଲଲହଡା ଫରେଷ୍ଟଗାର୍ଡ ଅକ୍ଷୟ ମହାପାତ୍ର ଏବଂ ରିଆମାଳ ବନବିଭାଗର ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। କେତେକ କର୍ମଚାରୀ ମଙ୍ଗଳବାର ସକାଳେ ବେପାରୀ ସାଜି ରତିଆ ଘରକୁ ଯାଇଥିବାବେଳେ ଅନ୍ୟ କର୍ମଚାରୀମାନେ ବାଟରେ ଛକି ରହିଥିଲେ। ଗ୍ରାହକ ସାଜିଯାଇଥିବା କର୍ମଚାରୀ ବାଘ ଛାଲର ମୂଲ୍ୟଦର ରିଆମାଳରେ ଦେବୁ କହି ରତିଆ ଓ ତାର ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ତିଲେଇମାଳ ଗ୍ରାମର ଅଜିତ କୁମାର ଲାକ୍ରା(୩୦), ଜମନକିରା ଥାନା ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଟ ଓ ତୁଲୁବ ଗ୍ରାମର ମନୋହର ମାଝୀ। ବନବିଭାଗ ନିଜ ଗାଡିରେ ବାଘ ଛାଲ ସହ ୪ ଜଣଙ୍କୁ ଧରି ଆଣିଥିଲା। ପୂର୍ବରୁ ରିଆମାଳ ବନାଞ୍ଚଳ ତାରଙ୍ଗ ଗ୍ରାମସ୍ଥିତ ସିନ୍ଦୁରକଲି ମଠ ନିକଟରେ ଜଗିଥିବା କର୍ମଚାରୀ ଘଟଣାସ୍ଥଳରେ ବାଘ ଛାଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ବନବିଭାଗ ପକ୍ଷରୁ ବୁଧବାର ରିଆମାଳ ଜେଏମଏଫ ସି କୋର୍ଟରେ ହାଜର କରାଇଥିଲେ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି।