ଅଢେଇ ଲକ୍ଷ ଟଙ୍କା ଲୁଟ ଘଟଣାରେ ୪ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍:ଅଢେଇ ଲକ୍ଷ ଟଙ୍କା ଲୁଟ ଘଟଣାରେ ସଦର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଖର୍ଲିକାନୀର ଦିଲ୍ଲୀପ ବଗର୍ତ୍ତି(୩୫),ବାଗଭାଡିର ଗୋପାଳ ବାରିକ (୨୮), ଜାମୁଟିଆର ମନୋଜ ସିଂ(୩୬) ଓ ଟାଉନଥାନା ଅନ୍ତର୍ଗତ ହାତୀଶାଲ ପଡାର ରାଜୁ ଭୁଏ(୩୬)। ସେମାନଙ୍କ ନିକଟରୁ ପୁଲିସ ୩୨ ହଜାର ଟଙ୍କା ସହିତ ୪ଟି ମୋବାଇଲ ଫୋନ, ଏକ ଭୁଝାଲି, ୩ଟି ବାଇକ୍ ଓ କ୍ୟାସବ୍ୟାଗ ସହିତ କିଛି କାଗଜପତ୍ର ମଧ୍ୟ ଜବତ କରିଛି। ସୂଚନା ଅନୁସାରେ, ବଲାଙ୍ଗିର ସହର ରାଜୀବନଗରର କୃଷ୍ଣ ମୋହନ ତରିଆ ଓ ତାଙ୍କ ଶଳା ପ୍ରକାଶ ଚନ୍ଦ୍ର ଜେନା ଗତ ୨୪ ତାରିଖ ସକାଳେ ସବ୍ ଡିଲରମାନଙ୍କୁ କିରାସିନି ବଣ୍ଟନ କରିବା ପାଇଁ ହର୍ଡାଟାଲରେ ଥିବା ଡିପୋକୁ ଯାଇଥିଲେ। ସେଠାରୁ ସଂଗୃହୀତ ହୋଇଥିବା ଅଢେଇ ଲକ୍ଷ ଟଙ୍କା ଧରି ବଲାଙ୍ଗିର ଫେରୁଥିବାବେଳେ ଡୁଡୁକାଶିରା ଠାରେ ୩ ଜଣ ଅଜଣା ଯୁବକ ଅତର୍କିତ ଭାବେ ଆକ୍ରମଣ କରି ଟଙ୍କା ଧରି ଫେରାର ହୋଇଯାଇଥିଲେ। ଆକ୍ରମଣରେ କୃଷ୍ଣ ଓ ପ୍ରକାଶ ଗୁରୁତର ଆହତ ହୋଇଥିଲେ। ଏନେଇ କୃଷ୍ଣ ସଦରଥାନାରେ ଅଭିଯୋଗ କରିବାପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ  ଏକ ସ୍ୱତନ୍ତ୍ର ଟିମ ଗଠନକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଓ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।