ବେଆଇନ୍ ବନ୍ଧୁକ ରଖିବା ଅଭିଯୋଗରେ ୪ ଗିରଫ

କୋରାପୁଟ, ଏନ୍ଏନ୍ଏସ୍ : ଲାଇସେନସ ନଥାଇ ବେଆଇନ୍ ଭାବେ ବନ୍ଧୁକ ରଖିବା ଅଭିଯୋଗରେ କୋରାପୁଟ ସଦର ଥାନା ପୁଲିସ୍ ୪ଜଣକୁ ଗିରଫ କରିବା ସହ ୪ଟି ଦେଶୀ ବନ୍ଧୁକ ଜବତ କରିଛି। ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ବୁଧବାର ରାତିରେ ସବ-ଇନସପେକ୍ଟର ସି.ଆର.ପ୍ରଧାନୀ,ଏଏସଆଇ ମନୋଜ କୁମାର ପ୍ରଧାନ ଓ ଅନ୍ୟ କର୍ମଚାରୀ ପାଇକଫୁଲବେଡା,ଏ.ମାଲକାନଗିରି,ନନ୍ଦିଗାଁ,ଓଡ଼ପୁର ଅଂଚଳରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଓଡ଼ପୁର ଗ୍ରାମର ମଦନ ଗୌଡ଼(୨୭)ଡ଼ମ୍ବରୁ ଗୌଡ଼(୩୫)ପିତା କୃଷ୍ନ ଗୌଡ଼, ଜଗଦିଶ ଗୌଡ଼(୫୫) ଓ ଡ଼ମ୍ବରୁ ଗୌଡ଼((୪୦) ପିତା ମଂଗଳା ଗୌଡ଼ ୪ଟି ଦେଶୀ ବନ୍ଧୁକ ଧରି ରାସ୍ତାରେ ଯାଉଥିଲେ। ସେମାନଙ୍କୁ ଦେଖି ପୁଲିସ୍ ବନ୍ଧୁକ ନେଇ ଯାଉଥିବା ସମ୍ପର୍କରେ ପଚାରିବାରୁ ସେମାନେ କେହି ମଧ୍ୟ ସନ୍ତୋଷ ଜନକ ଉତର ଦେଇ ପାରିନଥିଲେ। ପେଟ୍ରୋଲିଂ ଟିମ୍ ୪ଜଣକୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ବିନା ଲାଇସେନସରେ ସେମାନେ ବନ୍ଧୁକ ରଖିଥିବା ଓ ବନ୍ୟ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ରାତିରେ ଯାଉଥିବା ଜାଣିବାକୁ ପାଇଥିଲା। ସଦର ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।