ତୃତୀୟ ଟେଷ୍ଟ: ରୋହିତଙ୍କ ଶତକ, ମଜଭୁତ ସ୍ଥିତିରେ ଭାରତ

ରାଞ୍ଚି: ଓପନର ରୋହିତ ଶର୍ମାଙ୍କ ଅପାରାଜିତ ୧୧୭ ଓ ଉପଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ୮୩ ରନ୍ ସହାୟତାରେ ଏଠାରେଥିବା ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଥିବା ସାଉଥ୍ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସ୍ ରେ ୩ ୱିକେଟ ହରାଇ ୨୨୪ ରନ୍ ସଂଗ୍ରହ କରିଛି।

ବର୍ଷା ବାଧା ଯୋଗୁଁ ପ୍ରଥମ ଦିନରେ ୫୮ ଓଭର ଖେଳ ସମ୍ଭବ ହୋଇଥିଲା। ୩୯ ରନରେ ଭାରତ ୩ଟି ୱିକେଟ୍ ହରାଇବା ପରେ ରୋହିତ ଓ ରାହାଣେ ସାଉଥ୍ ଆଫ୍ରିକା ବୋଲରଙ୍କୁ ନାକେଦମ୍ କରିଛନ୍ତି। ପକ୍ଷରୁ କାଗିସୋ ରାବାଡା ୨ଟି ଓ ଆନରିଜ୍ ନୋର୍ଜେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ଭାରତ ପକ୍ଷରୁ ମାଧ୍ୟମରେ ଝାଡ଼ଖଣ୍ଡର ବାମହାତୀ ଲେଗ୍ ସ୍ପିନର ଶାହବାଜ ନଦୀମ ଟେଷ୍ଟ୍ ଡେବ୍ୟୁ କରିଛନ୍ତି। ସେହିପରି ସାଉଥ୍ ଆଫ୍ରିକାର ଦ୍ରୁତ ବୋଲର ଆନ୍ ରିଚ୍ ନୋର୍ଜେ ଓ ଅଲରାଉଣ୍ଡର ଜର୍ଜ ଲିଣ୍ଡେ ମଧ୍ୟ ଟେଷ୍ଟ ଡେବ୍ୟୁ କରିଛନ୍ତି। ରୋହିତ ଶର୍ମା ଏହି ଇନିଂସ୍ ରେ ଶତକ ହାସଲ କରି ଅନେକଗୁଡ଼ିଏ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଇନିଂସ୍ ଓପନ୍ କରିଥିଲେ। ଗତ ଦୁଇଟି ଯାକ ମ୍ୟାଚ୍ ରେ ଶତକ ହାସଲ କରିଥିବା ମୟଙ୍କ କିନ୍ତୁ ଏହି ମ୍ୟାଚ୍ରେ କରିସ୍ମା ଦେଖାଇବାକୁ ସକ୍ଷମ ହୋଇନଥିଲେ। ଦଳୀୟ ସ୍କୋର ୧୨ ରନ୍ ରହିଥିବା ବେଳେ ସେ ବ୍ୟକ୍ତିଗତ ୧୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୁଜାରା ଡକ୍ ହୋଇଥିଲେ। ଏହି ୱିକେଟ ଦୁଇଟି ରାବଡା ନେଇଥିଲେ। ପରେ ବିରାଟ ଓ ରୋହିତ ଘରୋଇ ଦଳର ମଙ୍ଗ ସମ୍ଭାଳିଥିଲେ।

ଦଳୀୟ ସ୍କୋର ୩୯ ରନ ରେ କୋହଲି ମାତ୍ର ୧୨ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ୩୯ ରନ୍ ରେ ତିନିଟି ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିଲା। ଫର୍ମରେ ଥିବା ରୋହିତଙ୍କୁ ଆଜିଙ୍କ୍ୟ ରାହାଣେ ଉଚିତ ସହାୟତା ଦେଇଥିଲେ। ବ୍ୟକ୍ତିଗତ ୨୮ ରନ୍ ସଂଗ୍ରହ କରିଥିବା ବେଳେ ରୋହିତଙ୍କୁ ଏକ ଜୀବନଦାନ ମିଳିଥିଲା। ଜୁବାଏର ହାମଜା ତାଙ୍କର ଏକ କ୍ୟାଚ୍ ହାତଛଡା କରିଥିଲେ। ଯାହାର ଫାଇଦା ନେଇ ରୋହିତ ଅର୍ଦ୍ଧଶତକ ଓ ପରେ ଶତକ ହାସଲ କରିଥିଲେ। ରାହାଣେ ମଧ୍ୟ ଭ୍ରମଣକାରୀ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ଅର୍ଦ୍ଧଶତକ ହାସଲ କରିଥିଲେ।

ରୋହିତ ଶତକ ଅର୍ଜନ କରିବା ପରେ ବର୍ଷାର ସମ୍ଭାବନା ଦେଖାଦେଇଥିଲା। ଏପରିକି ୫୮ ଓଭରରେ ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ସ୍ଥଗିତ କରାଯାଇଥିଲା। ଏହାପରେ ବର୍ଷା ଲାଗିରହିବାରୁ ପ୍ରଥମ ଦିନର ଷ୍ଟମ୍ପସ ଘୋଷଣା କରାଯାଇଥିଲା। ରୋହିତ ଓ ରାହାଣେ ଚତୁର୍ଥ ୱିକେଟ୍ ଅଭିଭାଜିତ ୧୮୫ ରନ୍ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ୧୪ ଚୌକା ଓ ୪ ଛକା ସହାୟତାରେ ୧୧୭ ଏବଂ ରାହାଣେ ୧୧ ଚୌକା ଓ ୧ ଛକା ସହାୟତାରେ ୮୩ ରନ୍ କରି ଅପରାଜିତ ରହିଛନ୍ତି।