୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ କମ୍ପଲେକ୍ସ ପରିସରରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ଦୁବେ ୨ଟି ନିଷ୍ପଦନ ମାମଲା ଫଇସଲା କରି ୧୦ଲକ୍ଷ ୯୭ ହଜାର୧୫୨ ଟଙ୍କା ଋଣ ଆଦାୟ କରିଛନ୍ତି । ପରିବାର ବିଚାର ବିଭାଗୀୟ ଜଜ୍ ଡା. ମୁନରାନୀ ମିଶ୍ର ୧୩ଟି ପାରିବାରିକ ବିବାଦ ମାମଲା ସମାଧାନ କରିଛନ୍ତି । ସେଥିମଧ୍ୟରୁ ୨ଟି ମାମଲାରେ ଆପୋଷ ବୁଝାମଣା କରାଇଛନ୍ତି । ବରିଷ୍ଠ ଦେବାନୀ ଜଜ ରାଜୀବ ଲୋଚନ ସାହୁ ୪ଟି ବ୍ୟାଙ୍କ ଋଣ ଦେୟ ସମ୍ବନ୍ଧୀୟ ବିବାଦର ଫଇସଲା କରି ୩ଲକ୍ଷ ୨୭ହଜାର ୩୪୮ ଟଙ୍କା ଋଣ ଆଦାୟ କରିଛନ୍ତି । ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା ୫୪ଟି ଫୌଜଦାରୀ ମୋକଦ୍ଦମାର ଫଇସଲା କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୪୬ଟି କୋର୍ଟ ମାମଲା ଓ ୧୦,୬୯୬ ଟି ରାଜସ୍ୱ ମାମଲାର ଫଇସଲା କରାଯାଇ ୬ଲକ୍ଷ ୧ହଜାର ୨୩୮ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ବ୍ୟାଙ୍କର ୫ଟି ପ୍ରାକ ମୋକଦ୍ଦମା ମଧ୍ୟ ଫଇସଲା କରାଯାଇ ୧ଲକ୍ଷ ୮୧ହଜାର ୬୫୦ ଟଙ୍କା ଋଣ ଆଦାୟ କରାଯାଇଛି ଓ ଭାରତ ସଂଚାର ନିଗମ ଲିମିଟେଡ ୧୨ଟି ପ୍ରାକ ମୋକଦ୍ଦମା ଫଇସଲା କରାଯାଇ ୧୮,୧୦୦ ଟଙ୍କା ଋଣ ଆଦାୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜଜ(ପୋକସୋ) ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର, ବରିଷ୍ଠ ଦେବାନୀ ଜଜ(ମହିଳା କୋର୍ଟ) ସୁଦୀପା ପାତ୍ର ଓ ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବାବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।