କେସିଙ୍ଗା ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଅଧ୍ୟକ୍ଷ ନିର୍ବାଚନ ଓ ଉପାଧ୍ୟକ୍ଷ ନିର୍ବାଚନ ପରେ ପ୍ରଥମ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବାବେଳେ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ, ଉପାଧ୍ୟକ୍ଷ ରାଜଲଷ୍ମୀ ପଟ୍ଟନାୟକ, ଲୋକସଭା ସାଂସଦ ପ୍ରତିନିଧି ଶଶାଙ୍କ ମହଲା, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ ଓ ନର୍ଲା ବିଧାୟକ ପ୍ରତିନିଧି ସନ୍ତୋଷ ଶର୍ମା ମଞ୍ଚାସିନ ଥିଲେ । ଏଥିରେ ପ୍ଲାନିଂ କମିଟି ଗଠନ, ପାନୀୟ ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ଲଘୁ ବନଜାତ ଦ୍ରବ୍ୟ ଓ ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟାନ୍ୟ ବିଷୟରେ ଆଲୋଚନା ପାଇଁ ସ୍ଥିରୀକୃତ କରାଯାଇଥିଲା । ତେବେ ପାନୀୟ ଜଳ ଓ ପରିମଳ, ମହିଳା ଶିଶୁବିକାଶ ଓ ପିଡ଼ିଏସ ଚାଉଳ ହିତାଧିକାରୀଙ୍କୁ ଠିକ ଭାବରେ ମିଳୁନଥିବା ବିଷୟ ମୁଖ୍ୟତଃ ଆଲୋଚନା ହୋଇଥିଲା । ଚଳିତ ବର୍ଷ କମ ବର୍ଷା ଯୋଗୁ ଅନେକ ନଦୀ, ନାଳ, କୂଅ ଓ ପୋଖରୀ ଶୁଖି ଯାଇଥିବାବେଳେ ପାନୀୟ ଜଳ ଓ ଗାଧୋଇବା ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସରପଞ୍ଚ ଓ ସମିତିସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ବହୁ ପଞ୍ଚାୟତରେ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ । ତେଣୁ ତୁରନ୍ତ ଗଭୀର ନଳକୂପ ଖୋଳାଯାଇ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିଥିଲେ । ବର୍ତ୍ତମାନ ଗଭୀର ନଳକୂପ ଖୋଳିବା ପାଇଁ ଅନୁମତି ନାହିଁ ତଥାପି ଆବଶ୍ୟକ ହେଲେ କିଛି ସ୍ଥାନରେ ନଳକୂପ ଖୋଳାଯାଇପାରିବ ବୋଲି ଆରଡବ୍ଲ୍ୟୁଏସ ତରଫରୁ କୁହାଯାଇଥିଲା । ନିମ୍ନ ମାନର ଛତୁଆ କେସିଙ୍ଗା ବ୍ଲକରେ ଯୋଗାଣ ହେଉଥିବା ଓ ତଦନ୍ତ ନିରପେକ୍ଷ କରିବାପାଇଁ ବୈଠକରେ ଦାବୀ ହୋଇଥିଲା । ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଉ ସେଥିରେ ନିର୍ବାଚିତ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରାଯାଇ ପୁଣିଥରେ ତଦନ୍ତ କରାଯାଉ ବୋଲି ସରପଞ୍ଚ ସମିତିସଭ୍ୟମାନେ ଦାବୀ କରିଥିଲେ । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରୁ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ବ୍ଲକର କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ପିଇଓ, ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ ।