ୱାଲ୍‌ଡ ସ୍କିଲ୍ ସେଣ୍ଟରରେ ୩ ଏମ୍‌ଓୟୁ ସ୍ୱାକ୍ଷର, ବ୍ରହ୍ମପୁର ପିଏମ୍‌ଇସି, କେନ୍ଦୁଝର ଜିସିଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ(ପିଏମ୍‌ଇସି) ଏବଂ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେବା ସହ ଦେଶ ଦୁଇ ପ୍ରତିଷ୍ଠିତ ସଂସ୍ଥା ସହିତ ୩ଟି ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ୱାକ୍ଷର କରିଛନ୍ତି।

ଶନିବାର ୱାର୍ଲଡ ସ୍କିଲ୍ ସେଣ୍ଟରରେ ଏହି ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ପ୍ରଥମ ଉତ୍କର୍ଷ କେନ୍ଦ୍ର ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ହେବ। ସେହିପରି କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ସହିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ବି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରମୁଖ ଶିଳ୍ପସଂସ୍ଥା ଟେକ୍ ମହିନ୍ଦ୍ରା ଏବଂ ଡାସୌଲଫ୍ ସିଷ୍ଟମ୍ସ ଇଣ୍ଡିଆ ସହ ଓଡ଼ିଶା ସରକାର ବୁଝାମଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳ୍ପସଂସ୍ଥାଙ୍କ ସହଭାଗିତାକୁ ଢେର ପସନ୍ଦ କରିଛନ୍ତି।
ଶ୍ରୀ ପଟ୍ଟାନୟକ କହିଛନ୍ତି ଯେ,ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେଲେ ଓଡ଼ିଶାର ଯୁବବର୍ଗ ବେଶୀ ଲାଭବାନ ହେବେ। ସେମାନଙ୍କ ଦକ୍ଷତା ବିକାଶ ସହିତ ନିଯୁକ୍ତି କ୍ଷେତ୍ରରେ ବି ନୂଆ ସୁଯୋଗ ସୃଷ୍ଟି ହେବ।

ପ୍ରତିଭା ଉନ୍ମେଷ ସହ ଡିଜିଟାଲ୍ ଶ୍ରମଶକ୍ତି ସୃଷ୍ଟି ଓ ସ୍ଥାନୀୟ ତଥା ଅନ୍ତର୍ଜାତୀୟ ଆଇଟି ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଏହି ନୂତନ ଉତ୍କର୍ଷ କେନ୍ଦ୍ରଗୁଡ଼ିକ ସାହାଯ୍ୟ କରିବ। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ଭାବେ ଉଭା ହେବା ସହ ପରବର୍ତ୍ତୀ କାଳରେ ସାଇବର ସିକ୍ୟୁରିଟି ଓ କ୍ଲାଉଡ୍ କମ୍ପ୍ୟୁଟରିଂ ମାଧ୍ୟମରେ ତଥ୍ୟ ସୁରକ୍ଷିତ ରହିପାରିବ। ତେବେ ଉତ୍କର୍ଷ କେନ୍ଦ୍ର ପାଇଁ ରାଜ୍ୟ ସରକାର ଆବଶ୍ୟକ ସାହାଯ୍ୟ ଓ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।