୩୮ ହଜାର ଗଞ୍ଜେଇ ଗଛ ନଷ୍ଟ, ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଓରକେଲ ଥାନା ଅନ୍ତର୍ଗତ ୩ଟି ଗ୍ରାମରେ ଜିଲ୍ଲା ଅବକାରୀ ବିଭାଗ ଓ କୁଡ଼ୁମୁଲୁଗୁମ୍ମା ଫାଣ୍ଡି ପୁଲିସର ମିଳିତ ଉଦ୍ୟମରେ ୩୭ହଜାର ୮ଶହ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠ୍‌ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ କୁଡ଼ୁମୁଲୁଗୁମ୍ମା ପୁଲିସ କର୍ମଚାରୀମାନେ ରବିବାର ଚଢ଼ାଉ କରି ବେଆଇନ ଭାବେ ଚାଷ କରାଯାଉଥିବା ଡଙ୍ଗାଗୁଡ଼ାରାଙ୍ଗଣିଗୁଡ଼ା ଓ ତୋଟାଗୁଡ଼ା ଗ୍ରାମର ୨୭ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ କାଟି ନଷ୍ଟ କରିବା ସହ ନିଆଁ ଲଗାଇ ଜାଳି ଦେଇଛନ୍ତି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୭ଲକ୍ଷ ୮୦ହଜାର ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ସେଠ୍‌ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଶୁକ୍ରବାର ରାତ୍ରିରେ ପଡ଼ିଆ ଥାନା ପୁଲିସ ଏକ ଟ୍ରକରେ ଗଞ୍ଜେଇ ଚୋରାରେ ଚାଲାଣ କରୁଥିବାବେଳେ ୭୭୦ କେଜି ଗଞ୍ଜେଇ ସହ ଟ୍ରକ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ସନ୍ଦେହ କରି ଯାଞ୍ଚ କରିଥିଲା। ସେହି ସମୟରେ ପୁଲିସ ଟ୍ରକରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକ ଜବତ କରିବା ସହ ଅଭିଯୁକ୍ତ ସୁରଜ ଶର୍ମାକୁପୁଲିସ ଗିରଫ କରିଛି। ଅଭିଯୁକ୍ତର ଘର ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି।