ମାଲକାନଗିରିକୁ ଫେରିଲେଣି ୩,୭୭୩ ପ୍ରବାସୀ ଶ୍ରମିକ

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକଡାଉନ ପରିସ୍ଥିତି ଉପୁଜିବା ଯୋଗୁ ପ୍ରବାସୀ ଶ୍ରମିକ ଘରମୁହାଁ ହେଉଛନ୍ତି। ଦୈନିକ ସହସ୍ରାଧିକ ପ୍ରବାସୀ ଶ୍ରମିକ ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସି ମାଲକାନଗିରି ଜିଲ୍ଲାର ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଦେଇ ପ୍ରବେଶ କରୁଛନ୍ତି। ତେଣୁ ମୋଟୁସ୍ଥିତ ସିଲେରୁ ନଦୀ ପୋଲର ପାର୍ଶ୍ୱରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେକ ପୋଷ୍ଟ ଖୋଲାଯାଇଛି। ଏହି ବାଟ ଦେଇ ପ୍ରବେଶ କରୁଥିବା ପ୍ରବାସୀଙ୍କ ପଞ୍ଜିକରଣ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ଓ ୨ଥର ଟିକା ଦେଇଥିବା ରିପୋର୍ଟ ଯାଂଚ କରାଯିବା ପରେ ଜିଲ୍ଲାକୁ ପ୍ରବେଶ କରିବାକୁ ଦିଆଯାଉଛି। ଜିଲ୍ଲାର ମୋଟୁ, କମାରଗୁଡ଼ା, ଚାଲାଣଗୁଡ଼ା, ଗୋବିନ୍ଦପାଲ୍ଲୀ ଓ ସିଲେରୁ ନିକଟରେ ସୀମାନ୍ତ ଯାଞ୍ଚ ପଏଣ୍ଟ ପ୍ରତିଷ୍ଠା କରାଯାଇ ଯାଞ୍ଚ କରାଯାଉଛି। ମୋଟୁ ପଏଣ୍ଟ ଦେଇ ଗତକାଲି ଅର୍ଥାତ ୨୧ ତାରିଖ ସୁଦ୍ଧା ୩,୭୭୩ଜଣ ପ୍ରବାସୀ ମାଲକାନଗିରି ଆସିଛନ୍ତି। ସେଥିମଧ୍ୟରୁ ୨,୮୪୨ଜଣ ମାଲକାନଗିରି ଜିଲ୍ଲାର ହୋଇଥିବାବେଳେ ୯୩୧ ଅନ୍ୟ ଜିଲ୍ଲା ପ୍ରବାସୀ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଆନ୍ଧ୍ରରେ କାମ ଧନ୍ଦା ବନ୍ଦ ହୋଇଥିବାରୁ ଫେରିବାକୁ ପଡ଼ୁଛି। ଏଠାକୁ ଆସିବା ପରେ ଆମର ପଞ୍ଜିକରଣ ସହ ଥର୍ମାଲ ଯାଞ୍ଚ କରାଯାଇ ୭ ଦିନ ଗୃହ ସଂଗରୋଧରେ ରହିବାକୁ କୁହାଯାଇଛି। ତେଣୁ ଏଠାରୁ ଯିବା ପରେ ଆମେ ଗୃହ ସଂଗରୋଧରେ ରହିବୁ ବୋଲି ଜଣେ ପ୍ରବାସୀ ଶ୍ରମିକ ସୁରୋଜ ଦାସ ପ୍ରକାଶ କରିଛନ୍ତ। ଗତ ୧୨ ତାରିଖଠାରୁ ମୋଟୁଠାରେ ୨୪ ଘଣ୍ଟିଆ ଚେକ ପୋଷ୍ଟ କରାଯାଇଛି। ଏଠାରେ ସ୍ୱାସ୍ଥ୍ୟ ଦଳ, ଶିକ୍ଷକ ଓ ପୁଲିସକୁ ନିୟୋଜିତ କରାଯାଇଛି। ଘରକୁ ଯିବା ପରେ ଗୃହ ସଂଗରୋଧରେ ରହିବାକୁ ପ୍ରବାସୀଙ୍କୁ ପରାମର୍ଶ ଦିଆଯିବା ସହ କାହା ସହିତ ନ ମିଶିବାକୁ ସଚେତନ କରାଯାଉଛି ବୋଲି ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ପ୍ରକାଶ କରିଛନ୍ତି। ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଓ ସଂଧ୍ୟା ୬ଟାରୁ ରାତ୍ର କର୍ଫ୍ୟୁ ଲାଗୁ କରାଯାଇଛି। କରୋନା ନିୟମକୁ ମାନିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।