ଓଡ଼ିଆ ଫିଲ୍ମରେ ଧାରା ୩୭୦

ଧାରା ୩୭୦ ଉଚ୍ଛେଦ କରିବା ପରେ ପଡ଼ୋଶୀ ପାକିସ୍ତାନ ଓ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା ଚଳାଇଛି। ଅନ୍ୟପକ୍ଷରେ ସୀମାରେ ଉତ୍ତେଜନା ଲାଗି ରହିବା ସହିତ ଦୁଇ ଦେଶର ସୈନ୍ୟ ସଜାଗ ରହିଛନ୍ତି। ଖୁବ୍ ଶୀଘ୍ର ଓଡ଼ିଆ ସିନେମାରେ ବି ଦେଖିବାକୁ ମିଳିବ ଧାରା ୩୭୦ର ଛାପ। ହଁ, ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ମୁକ୍ତି ଅପେକ୍ଷାରେ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ରେ ଡ. ନିର୍ମଳ ନାୟକ ‘ଧାରା ୩୭୦ ଉଠିଗଲାଣି…’ ଶୀର୍ଷକରେ ଏକ ଧୁମଧଡ଼ାକା ଗୀତ ଲେଖିଛନ୍ତି।

ଏ ଗୀତରେ କଣ୍ଠଦାନ କରିଛନ୍ତି ଆଶୁତୋଷ ମହାନ୍ତି ଓ ଲୋପାମୁଦ୍ରା ଦାଶ। ଏ ଗୀତଟିକୁ ମିଶାଇ ଫିଲ୍ମରେ ପାଞ୍ଚଟି ଗୀତ ସ୍ଥାନିତ ହୋଇଛି। ତିନୋଟି ନିର୍ମଳ ନାୟକ ଲେଖିଥିବାବେଳେ ଅବଶିଷ୍ଟ ଦୁଇଟି ଲେଖିଛନ୍ତି ବାପୁ ଗୋସ୍ୱାମୀ। ଅନ୍ୟ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ସତ୍ୟଜିତ ପ୍ରଧାନ, ତାରିକ ଅଜିଜ୍, ସ୍ୱୟମ୍ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଋତୁରାଜ ମହାନ୍ତି ଓ ସୋହିନୀ ମିଶ୍ର। ସମସ୍ତ ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ଅଶୋକ ପତି। ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜନା କରିଛନ୍ତି ଦେବୀଦତ୍ତ ମହାନ୍ତି। ଫିଲ୍ମର ମୁଖ୍ୟ ଚରିତ୍ରରେ ବାବୁସାନ, ଶୀତଲ, ସୂର୍ଯ୍ୟମୟୀ ଓ ଦିବ୍ୟାଦିଶା ଅଭିନୟ କରିଥିବାବେଳେ ଅନ୍ୟାନ୍ୟ ଚରିତ୍ରରେ ଦର୍ଶକ ମିହିର ଦାସ, ରାଇମୋହନ, ପୃଥ୍ୱୀରାଜ, ବିଜୟିନୀ ମିଶ୍ର, ଯୋଗେଶ, ଉଦିତ, ରବି ମିଶ୍ର, ଜୟପ୍ରକାଶ ଦାସ, କାଞ୍ଚନ ଓ ତ୍ରିଭୁବନଙ୍କୁ ଦେଖିବେ।