ଚୁଡ଼ା ଖାଇ ୩୭ ଛାତ୍ରୀ ଅସୁସ୍ଥ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ନିଧିପଡ଼ା ସେବାଶ୍ରମ ବିଦ୍ୟାଳୟର ୩୭ ଛାତ୍ରୀଙ୍କୁ ଏକାସଙ୍ଗରେ ଜ୍ୱର, ବାନ୍ତି ହେବା ଦ୍ୱାରା ସେମାନଙ୍କୁ ମଙ୍ଗଳବାର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତର ସେଠାରେ ପିଲାମାନଙ୍କୁ ପରୀକ୍ଷା କରିବା ପରେ ସେମାନଙ୍କୁ ଔଷଧ ପ୍ରଦାନ କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ରୁ ଅଧିକ ଛାତ୍ରୀ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁସାରେ, ବାଲେଶ୍ୱର ସଦର ବ୍ଲକ ବର୍ଦ୍ଧନପୁର ପଞ୍ଚାୟତରେ ଥିବା ନିଧିପଡ଼ା ସେବାଶ୍ରମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମୋଟ ୧୯୬ଜଣ ପିଲା ପାଠ ପଢ଼ନ୍ତି। ସେମାନେ ଗତ ସୋମବାର ଭାତ ଖାଇଥିଲେ ଓ ରାତିରେ ଚୁଡ଼ା ଖାଇଥିଲେ। ଦିନରେ ସେମାନେ ଭାତ ଖାଇ ସାରିବା ପରେ କିଛି ପିଲାଙ୍କୁ ଜ୍ୱର ହୋଇଥିଲା।

ସେହିପରି ରାତିରେ ଚୁଡ଼ା ଖାଇସାରିବା ପରେ ମଧ୍ୟ ଆଉ କିଛି ପିଲାଙ୍କୁ ଜ୍ୱର ହୋଇଥିଲା। ଏପରିକି ସେମାନଙ୍କୁ ବାନ୍ତି ହେବା ସହ ସେମାନଙ୍କର ମୁଣ୍ଡ ବୁଲାଇଥିଲା। କିଛି ପିଲାଙ୍କର ପତଳା ଝାଡ଼ା ମଧ୍ୟ ହୋଇଥିଲା ବୋଲି ସେବାଶ୍ରମର ମ୍ୟାଟ୍ରନ ରାନୁବାଲା ଢାଲି କହିଛନ୍ତି। ସେମାନେ ରସାଳପୁର ହସ୍ପିଟାଲରୁ ଔଷଧ କିଣି ସେମାନଙ୍କୁ ଖାଇବାକୁ ଦେଇଥିଲେ। ସେମାନଙ୍କର ଜ୍ୱର ବାନ୍ତି କମି ନଥିଲା।

ରୁପସା ମେଡିକାଲ ଟିମ୍ ତଦାରଖ କରିବା ପାଇଁ ଆସିବା ପରେ ୫ଟି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ମଣି ସିଂ ସେଠାରେ ପହଞ୍ଚିଥିଲେ। ଏନେଇ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡ.ସୁଧୀର ଘୋଷଙ୍କ କହିବା ଅନୁସାରେ, ପିଲାମାନଙ୍କ ମଧ୍ୟରୁ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।