ଆଜି ରାଜଧାନୀରେ ପୁଣି ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ କିଛିଦିନ ହେବ କରୋନା ମିଟର ୩ ହଜାରରୁ ତଳକୁ ଖସିଥିବା ବେଳେ ରାଜଧାନୀରେ ଦୈନିକ ସଂକ୍ରମଣ ସଂଖ୍ୟାରେ କୌଣସି ସୁଧାର ଆସିନାହିଁ। ପ୍ରତିଦିନ ପରି ଆଜି ମଧ୍ୟ ରାଜ୍ୟରେ ୩୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ କ୍ୱାରେଣ୍ଟାଇନ ସେଣ୍ଟରର ୭୫ ଜଣ ରହିଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୯୪ ରହିଛି।

ଏହି ମଧ୍ୟରେ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୧ ହଜାର ୮୯୫ରେ ପହଞ୍ଚିଛି। ଅନ୍ୟପଟେ ଆଜି ରାଜଧାନୀରେ ୩୫୬ ଜଣ କରୋନା ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜଧାନୀରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୧୮ ହଜାର ୨୪୮ରେ ପହଞ୍ଚିଛି। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବର୍ତ୍ତମାନ ୩ ହଜାର ୫୩୭ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବାବେଳେ ୯୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଥିବା ସୂଚନା ରହିଛି।