ପାରୋଲରେ ଯାଇଥିବା ୩୪୬୮ କଏଦୀଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ,ଏଜେନ୍ସି: ଗତବର୍ଷ ପାରୋଲରେ ଯାଇଥିବା ତିହାର ଜେଲର ୩୪୬୮ କଏଦୀଙ୍କ ପତ୍ତା ମିଳୁନଥିବା ଜଣାପଡିଛି। ଏମାନଙ୍କୁ ଠାବ କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ ବର୍ତ୍ତମାନ ଦିଲ୍ଲୀ ପୁଲିସର ସହାୟତା ଲୋଡିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏଡ୍ସ, କର୍କଟ, କିଡ୍ନୀ, ହେପାଟାଇଟିସ-ବି, ଯକ୍ଷ୍ମା ଓ ଆଜ୍ମା ଭଳି ରୋଗରେ ଆକ୍ରାନ୍ତ ହୋଇଥିବା ୬୭୪୦ କଏଦୀଙ୍କୁ ପାରୋଲରେ ଯିବାକୁ ଅନୁମତି ଦିଆଯାଇଥିଲା। ଏହାର ଦୁଇଟି କାରଣ ରହିଥିଲା। ପ୍ରଥମେ ଏହି କଏଦୀଙ୍କୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ମିଳିବ ଏବଂ ଦ୍ୱିତୀୟରେ ତିହାର ଜେଲରେ କଏଦୀଙ୍କ ଅସମ୍ଭବ ଭିଡକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଏମାନେ ଚଳିତବର୍ଷ ମାର୍ଚ୍ଚ ୬ ସୁଦ୍ଧା ଜେଲକୁ ଫେରିବେ ବୋଲି ସର୍ତ୍ତ ରହିଥିଲା। ତେବେ ମାର୍ଚ୍ଚ ୩୧ ସୁଦ୍ଧା ଏମାନଙ୍କର କୌଣସି ପତ୍ତା ନମିଳିବାରୁ ପୁଲିସକୁ ଠାବ କରିବାକୁ ଦାୟିତ୍ୱ ଦିଆଯାଇଛି। ଏପରିକି ଏହି କଏଦୀଙ୍କ ପରିବାରକୁ ଯୋଗାଯୋଗ କରିବାରେ ସେମାନଙ୍କ ନିକଟରେ କୌଣସି ସୂଚନା ନଥିବା କହିଛନ୍ତି। ଫେରାରଙ୍କ ମଧ୍ୟରେ ଦୋଷୀ ଓ ବିଚାରାଧୀନ କଏଦୀ ରହିଛନ୍ତି।