ନୂଆଦିଲ୍ଲୀ,ଏଜେନ୍ସି: ଏଲଏସିରେ ଚୀନ ସହିତ ସୃଷ୍ଟି ହୋଇଥିବା ସଂଘର୍ଷ ପରେ ଭାରତ ନିଜର ସାମରିକ ପ୍ରସ୍ତୁତିକୁ ବଢ଼ାଇ ଦେଇଛି। ଏହି କ୍ରମରେ ଚୀନ ସଲଗ୍ନ ୩,୪୮୮ କିଲୋମିଟର ସୀମାରେ ଅଧିକ ୩୫ ହଜାର ସୈନ୍ୟ ମୁତୟନ କରିବାକୁ ଭାରତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ଜନୈକ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସେନା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।
ଦିଲ୍ଲୀସ୍ଥିତ ଥିଙ୍କଟ୍ୟାଙ୍କ ଦ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆର ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ମେଜର ଜେନେରାଲ ବିକେ ଶର୍ମା ଏ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ଲଦାଖରେ ଏଲଏସିର ସ୍ଥିତି ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଏହାର ପୂର୍ବାବସ୍ଥା ଫେରିବାର ସମ୍ଭାବନା ବହୁତ କମ୍। ତେଣୁ ଏହି ସ୍ଥିତିକୁ ମୁକାବିଲା କରିବା ଲାଗି ଭାରତ ଅଧିକ ସୈନ୍ୟ ମୁତୟନ କରିବା ଯଥାର୍ଥ ଅଟେ। ତେବେ ପୂର୍ବରୁ ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇଦେଶର କୂଟନୈତିକ ଓ ସାମରିକ ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି।
ନିକଟରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନବିନ୍ କହିଥିଲେ ଯେ ସୀମାରୁ ସୈନ୍ୟ ପ୍ରତ୍ୟାହାର ଶେଷ ହୋଇଛି। ତେବେ ଚୀନ ବୈଦେଶିକ ମନ୍ତ୍ରଣାଳୟର ଏହି ଦାବିକୁ ଭାରତ ଖଣ୍ଡନ କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସୀମାରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ। ସୈନ୍ୟ ପ୍ରତ୍ୟାହାର ବୁଝାମଣା କାର୍ଯ୍ୟକାରିତା ସମ୍ପର୍କରେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ କଥାବାର୍ତ୍ତା ହେବ ବୋଲି ଶ୍ରୀବାସ୍ତବ କହିଛନ୍ତି।