ଖପ୍ରାଖୋଲ ପୁଲିସର ଚଢ଼ଉରେ ୩୫ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ପୁଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ୩୫ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ପୁଲିସ ପେଟ୍ରୋଲିଂ କରୁଥିବାବେଳେ ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତାର ଗୁଣ୍ଡୁରୁପାଲି ବସଷ୍ଟାଣ୍ଡରେ କିଛି ଶ୍ରମିକ ଥିବା ଦେଖିବାକୁ ପାଇଥିଲେ। ପଚରାଉଚୁରା କରିବା ପରେ ପଦ୍ମପୁର ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ମାଧ୍ୟମରେ ତାମିଲନାଡୁର ଏକ ଇଟା ଭାଟିକୁ ଯାଉଥିବା ଜାଣିବାକୁ ପାଇଥିଲେ। ପରେ ଉକ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା। ଉକ୍ତ ଶ୍ରମିକଙ୍କ ମଧ୍ୟରେ ୧୯ଜଣ ପୁରୁଷ ଓ ୧୬ଜଣ ମହିଳାଙ୍କ ସମେତ ୩ଜଣ ଶିଶୁ ରହିଛନ୍ତି। ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ କରି ଦାଦନ ଶ୍ରମିକଙ୍କୁ ନିଜ ନିଜ ଗାଁକୁ ପଠାଇ ଦେଇଥିବା ଥାନାଧିକାରୀ ରମାକାନ୍ତ ସାହୁ କହିଛନ୍ତି।