ସିଆରପିଏଫରେ କରୋନା ଆକ୍ରାନ୍ତ ସଂଖ୍ୟା ୩୩୫କୁ ବୃଦ୍ଧି, ୨ ମୃତ

ନୂଆଦିଲ୍ଲୀ,ଏଜେନ୍ସି : କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ସିଆରପିଏଫରେ କରୋନା ସଂକ୍ରମଣ ବଢିଚାଲିଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସିଆରପିଏଫରେ ପୂର୍ବରୁ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଗୁରୁବାର ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ୯ଟି ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ସିଆରପିଏଫରେ ମୋଟ ସଂକ୍ରମିତ ସଂଖ୍ୟା ୩୩୫ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ରେ ପହଂଚିଛି । ଏବେ କରୋନା ସଂକ୍ରମିତ ୧୨୧ ଜଣ ଯବାନ ଚିକିତ୍ସାଧୀନ ଅଛନ୍ତି ବୋଲି ସିଆରପିଏଫ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ବା ସିଆଇଏସଏଫରେ ମଧ୍ୟ କରୋନା ସଂକ୍ରମଣ ଚିନ୍ତାର କାରଣ ହୋଇଛି ।

ସିଆଇଏସଏଫରେ ଏ ପର୍ଯ୍ୟନ୍ତ ମୋଟ୍ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ତେବେ ସୀମା ସୁରକ୍ଷା ବଳ ବା ବିଏସଏଫରେ କରୋନା ସଂକ୍ରମଣ ସ୍ଥିତିରେ ଉନ୍ନତି ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଏସଏଫରେ ଗୋଟିଏ ମଧ୍ୟ ନୂଆ ମାମଲା ଜଣାପଡିନାହିଁ। ଏହା ସହିତ ୨୫ ଜଣ କରୋନା ଆକ୍ରାନ୍ତ ଯବାନ ଆରୋଗ୍ୟ ଲାଭ କରିଛନ୍ତି। ପୂର୍ବରୁ ବିଏସଏଫର ମୋଟ ୨୪୯ ଜଣ ଆକ୍ରାନ୍ତ ଯବାନ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ ପାଇଛନ୍ତି। ଏହା ଫଳରେ ବିଏସଏଫରେ ଏ ପର୍ଯ୍ୟନ୍ତ ମୋଟ ୨୭୪ ଜଣ ସୁସ୍ଥ ହେଲେଣି। ବିଏସଏଫରେ ଏବେ ଆଉ ୮୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।