ତେଲେଙ୍ଗାନାରୁ ୩୩ ଦାଦନ ଉଦ୍ଧାର

ବରଗଡ଼,ଏନ୍ଏନ୍ଏସ୍ : ତେଲେଙ୍ଗାନାର ପଇଦାପଲ୍ଲୀ ଜିଲ୍ଲା ରାମଗିରି ଥାନା ପାଣ୍ଡୁଲାପଲ୍ଲିକୁ ଇଟା ଗଢ଼ିବାକୁ ଯାଇ ବନ୍ଧକ ଥିବା ୩୫ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୩୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକମାନେ ଗୁରୁବାର ରାତିରେ ଟ୍ରେନ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଇଟାଭାଟି ମାଲିକ ପାଖରେ ଏବେ ବନ୍ଧକ ଥିବା ୨ ଜଣ ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ଗତ ବର୍ଷ ଜୁଲାଇ ମାସରେ ପାଇକମାଳ ବ୍ଲକ୍ର ଯୋଗୀନ୍ଦ୍ରନାଥପୁରର ୩୫ ଜଣ ଦାଦନ ଶ୍ରମିକ ତେଲେଙ୍ଗାନାର ପଇଦାପଲ୍ଲୀ ଜିଲ୍ଲା ରାମଗିରି ଥାନା ପାଣ୍ଡୁଲାପଲ୍ଲିକୁ ଇଟା ଗଢ଼ିବାକୁ ଯାଇଥିଲେ। ସେଠାରେ ଇଟା ଭାଟି ମାଲିକ ସେମାନଙ୍କୁ ଦିନରାତି କାମ କରାଇବା ସହ ନିର୍ଯାତନା ଦେଉଥିଲେ।

ଏପରିକି ଦାଦନ ଶ୍ରମିକଙ୍କୁ ଠିକ୍ ଭାବରେ ଖାଇବାକୁ ଦିଆ ନଯାଇ ବନ୍ଧକ ରଖିଥିଲେ। ଯାହାକୁ ନେଇ ବନ୍ଧକ ଶ୍ରମିକମାନେ ନିଜକୁ ଉଦ୍ଧାର କରିବାକୁ ଭିଡିଓ ମାଧ୍ୟମରେ ସ୍ୱେଚ୍ଛାସେବୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ବନ୍ଧକ ଦାଦନ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୟୁଥ୍ ଏଗେନେଷ୍ଟ କର୍ପସନ ପକ୍ଷରୁ ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ, ଶ୍ରମ କମିଶନର ଏବଂ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଯାହାକୁ ନେଇ ଉଭୟ ଓଡ଼ିଶା ଓ ତେଲେଙ୍ଗାନା ସରକାର ତତ୍ପରତା ପ୍ରକାଶ କରି ଗୁରୁବାର ବନ୍ଧକ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ।

ତେବେ ବନ୍ଧକ ଥିବା ୩୫ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୩୩ ଜଣ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ମିିଳିଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକ ବେଲପାଟୀ ଗ୍ରାମର ଜଳନ୍ଧର ଓ ପଥରେଲ ଗ୍ରାମର କୁଳମଣୀ ବରିହା ଏବେ ବି ଇଟା ଭାଟି ମାଲିକ ପାଖରେ ବନ୍ଧକ ଥିବା ସୂଚନା ମିଳିଛି। ଉଦ୍ଧାର ଶ୍ରମିକମାନେ ତେଲେଙ୍ଗାନା ପଇଦାପଲ୍ଲୀ ଷ୍ଟେସନରୁ ଟ୍ରେନ ଯୋଗେ ନାଗପୁର ଦେଇ ରାୟପୁରରେ ପହଞ୍ôଚଥିବା ବେଳେ ସେଠାରୁ ସେମାନେ ଖରିଆର ରୋଡ୍ ଦେଇ ଗାଁକୁ ଫେରିବେ ବୋଲି ସୂଚନା ମିଳିଛି । ଉଦ୍ଧାର ଶ୍ରମିକମାନଙ୍କ ସହ ୧୧ ଜଣ ଶିଶୁ ଅଛନ୍ତି।