ସମଲେଈଙ୍କ ପୀଠରେ ୩୨ଶହ ଦୀପ ପ୍ରଜ୍ଜ୍ୱଳନ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ପୀଠରେ ଗତ ସେପ୍ଟେମ୍ବର ୨୨ ତାରିଖ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଠମୀ ତିଥିରୁ ଶାରଦୀୟ ଷୋଡ଼ଶ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ଆଶ୍ୱିନ ଶୁକ୍ଲ ପକ୍ଷ ସପ୍ତମୀରୁ ତ୍ରିଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଶନିବାର ମହାଷ୍ଟମୀରେ ଭାଇଜିଉଁତିଆ ବ୍ରତ ସହ ପୀଠରେ ଖଣ୍ଡାଧୁଆ, ମହାଷ୍ଟମୀ ପୂଜା ଆଖଡ଼ା ଦଳର ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୬ ତାରିଖ ମହାନବମୀ ଏବଂ ୭ ତାରିଖ ବିଜୟା ଦଶମୀରେ ଦେବୀଙ୍କ ରଣଜିତା ଉତ୍ସବ ଆୟୋଜିତ ହେବ। ଏହା ସହିତ ଦେବୀଙ୍କ ଠାରେ ୩୨ଶହରୁ ଅଧିକ ଭକ୍ତ ମାନସିକ ଜାଗର ଦ୍ୱୀପ ପ୍ରଜ୍ଜ୍ୱଳନ କରିଛନ୍ତି। ବିଜୟା ଦଶମୀରେ ଦୀପ ବିସର୍ଜନ କରାଯିବ। ଆସନ୍ତା ୧୩ ତାରିଖ ଦଶହରା ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ତିଥିରେ ମାଁ ସମଲେଶ୍ୱରୀ ଭକ୍ତମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ। ସେହିଦିନ ସନ୍ଧ୍ୟାରେ ମନ୍ଦିରରେ ନୂଆଁ ଧ୍ୱଜା ଆରୋହଣ କରାଯିବ। ସମ୍ବଲପୁରର ଅନ୍ୟତମ ଶକ୍ତିପୀଠ ପାଟଣେଶ୍ୱରୀ ମନ୍ଦିରରେ ମଧ୍ୟ ଶାରଦୀୟ ଦଶହରା ଆୟୋଜିତ ହେଉଥିବା ବେଳେ ୫ ତାରିଖ ମହାଷ୍ଟମୀ ତିଥିରେ ଦେବୀଙ୍କ ସୁନାବେଶ ଆୟୋଜିତ ହେବ। ଦୁର୍ଗାପାଲି ଓ ଗୋପାଲପାଲିର ବନଦୁର୍ଗା, ଦଲେଇପଡ଼ାର ବାଟମଙ୍ଗଳା, ପୀରବାବା ଛକ ଓ ମୁଦିପଡ଼ାର ଭୁବନେଶ୍ୱରୀ, କ୍ଷେତରାଜପୁର ବୈଷ୍ଣୋଦେବୀ, ଗୋଲବଜାର ଓ ବଡ଼ବଜାରର ଦୁର୍ଗାଙ୍କ ପୀଠରେ ମଧ୍ୟ ଶାରଦୀୟ ଦଶହରା ଉତ୍ସବ ଆୟୋଜିତ ହେଉଛି। ସମସ୍ତ ଦେବୀ ପୀଠ ଆଲୋକମାଲାରେ ଝଲସୁଥିବା ବେଳେ ପ୍ରତ୍ୟହ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି।