ମିଥ୍ୟା ମାମଲାରେ ୩୨ ଗିରଫ, ନ୍ୟାୟ ଦାବୀରେ ଏସପି ଅଫିସ ଘେରାଉ

ବଲାଙ୍ଗିର,ଏନ୍ଏ୍ନଏସ୍: ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ପୁଇଁନ୍ତଳା ଥାନା ଅନ୍ତର୍ଗତ ଆଇଲାସାରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ମଙ୍ଗଳବାର ସଂନ୍ଧ୍ୟାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଗୋଟିଏ ଗୋଷ୍ଠୀ ଯାଇ ଅନ୍ୟ ଗୋଷ୍ଠୀର ୫ ବଖରା ଘର ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଉକ୍ତ ଘଟଣାରେ ପୁଲିସ ମିଥ୍ୟା ମାମଲାରେ ଗ୍ରାମର ୩୨ ଜଣଙ୍କୁ ଗିରଫ କରିଥିବାରୁ ଗ୍ରାମବାସୀ ନ୍ୟାୟ ଦାବୀରେ ଆଜି ସ୍ଥାନୀୟ ଏସପି ଅଫିସ ଘେରାଉ କରିଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଅଏଁଲାସାରି ଗ୍ରାମର ଉକାଲୁ ସା କୌଣସି କାମରେ ବଲାଙ୍ଗିର ଆସି ଗାଁକୁ ଫେରୁଥିଲେ। ଫେରିବା ବାଟରେ ଅଏଁଲାସାରି ଗ୍ରାମର ନିରଞ୍ଜନ ବନଛୋର ତାଙ୍କ ସହେଯାଗୀ କମ୍ପାଉଣ୍ଡର ଚନ୍ଦର, ଉମରିଆ ଗ୍ରାମର ନିଶା ନେଗୀ, ମନ ନେଗୀ ଓ ସୁବୋଧ ନେଗୀ ହଠାତ ଉକାଲୁଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଖବର ପାଇ ଅଏଁଲାସାରି ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଗୁରୁତର ଉକାଲୁଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିଲେ। ରାତିରେ କୌଣସ କାରଣରୁ ନିରଞ୍ଜନ ବନଛୋର ଓ ସହେଯାଗୀଙ୍କ ଘରେ ନିଆଁ ଲାଗିଯାଇ ଥିବାବେଳେ ଉକ୍ତ ମାମଲାରେ ପୁଲିସ ୩୨ଜଣ ନିରୀହ ଗ୍ରାମବାସୀଙ୍କୁ ରାତାରାତି ଉଠାଇ ଆଣିଥିବା ସରପଞ୍ଚ ପାର୍ବତି ବେନିଆଁ, ଇଲାବତି ମଲ୍ଲିକ, ମାନୀନି ସାହୁ ଓ ଶ୍ରୀବଚ୍ଛ ସାହୁଙ୍କ ସମେତ ଶତାଧିକ ଅଏଁଲାସାରି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଏଁଲାସାରି ଗ୍ରାମବାସୀ ନିରଞ୍ଜନ, କମ୍ପାଉଣ୍ଡର ଓ ସହଯାଗୀଙ୍କ ଘର ପୋଡ଼ି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଗ୍ରାମାବାସୀ ଓ ବଲାଙ୍ଗିର ଏସପିଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଥିବାବେଳେ ଅପରାହ୍ନ ପରେ ଗ୍ରାମବାସୀ ଧାରଣାରୁ ଓହରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଦିର୍ଘ ଦିନ ହେବ ଅଏଁଲାସାରି ଗ୍ରାମର ବନ୍ଧ ଠିକାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ପୂର୍ବରୁ ଗୋଟିଏ ଗୋଷ୍ଠୀ ଉକ୍ତ ଠିକା ପାଇ ଆସୁଥିବାବେଳେ ଏଥର ଅଏଁଲାସାରି ଗ୍ରାମର ଦୁଇ ଏସଏଜି ଗ୍ରୁପକୁ ଏହା ମିଳିଛି। ଫଳରେ ଗ୍ରାମର ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ତିକ୍ତତା ଉପୁଜି ଥିବାବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ବନ୍ଧ ଠିକା ହିଁ ଘଟଣାର ମୁଖ୍ୟ କାରଣ ବୋଲି ସୂତ୍ରରୁ ଜଣାପଡ଼ିଛି।