ତୁରେକେଲା ରେଳ ଷ୍ଟେସନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ତୁରେକେଲା ରେଳ ଷ୍ଟେସନରୁ ଗୁରୁବାର ପୁଲିସ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନଙ୍କୁ ଆନ୍ଧ୍ର ପ୍ରଦେଶ ଚାଲାଣ କରାଯାଉଥିବା ଜଣାପଡ଼ିବା ସହ ସେମାନେ ବେଲପଡ଼ା ବ୍ଲକର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତକାଲି କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ସେମାନଙ୍କୁ ଚାଲାଣ କରୁଥିବା ଦାଦନ ସର୍ଦ୍ଦାରଙ୍କ ସମ୍ପର୍କରେ କୌଣସି ସନ୍ଧାନ ମଳିନାହିଁ। ସେମାନଙ୍କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାକୁ କିଛିଦିନ ପୂର୍ବରୁ ରାଜ୍ୟ ଶ୍ରମ କମିଶନର ଗସ୍ତରେ ଆସିଥିଲେ। ବଲାଙ୍ଗିର ସହିତ ଆଖପାଖ ଜିଲ୍ଲାର ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଶ୍ରମିକମାନଙ୍କୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଶ୍ରମ କମିସନରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଛି।