୩୧୧ ଜଣଙ୍କ ସମର୍ଥନରେ ବିଳମ୍ବିତ ରାତ୍ରିରେ ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ,ଏଜେନ୍ସି: ନାଗରିକତା ସଂଶୋଧନ ବିଧେୟକ–୨୦୧୯କୁ ଲୋକସଭାରେ ପାସ କରିଥିବା ଜଣାଯାଇଛି। ଦୀର୍ଘ ୧୨ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ପର୍ୟ୍ୟାଲୋଚନା ପରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଏହି ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ଆଗତ କରିଥିଲେ।

ତେବେ ଏହି ବିଲ୍ ପାସ ହୋଇଗଲେ ଦେଶରେ ୬୦ ବର୍ଷ ଧରି ସକ୍ରିୟ ଥିବା ନାଗରିକତା ଆଇନ–୧୯୫୫ ବଦଳି ଯିବ ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହେବ।


ସୋମବାର ଦିନ ୧୧ଟାରୁ ମଧ୍ୟରାତ୍ରି ଯାଏଁ ଆଲୋଚନା, ପର୍ୟ୍ୟାଲୋଚନା ଓ କେତେକ ସଂଶୋଧନ ପରେ ଲୋକସଭାରେ ଭୋଟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୩୧୧ ଜଣ ସଦସ୍ୟ ଏହାକୁ ସମର୍ଥନ ଜଣାଇଥିଲେ। ସେହପିର ୮୦ଜଣ ଏହାକୁ ବିରୋଧ କରିଛନ୍ତି। ସେଥି ମଧ୍ୟରେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ଥିଲେ। ତେବେ ବହୁମତରେ ବିଳମ୍ବିତ ରାତ୍ରିରେ ଏହି ବିଲ ପାସ୍ କରାଯାଇଛି।

ଏହି ନାଗରିକତା ସଂଶୋଧନ ବିଧେୟକ ପାଇଁ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦଳର ୪୮ ଜଣ ସଦସ୍ୟ ଭାଗ ନେଇଥିଲେ। ଏହି ବିଲରେ ସମ୍ବିଧାନର କୌଣସି ଧାରାକୁ ଉଲଙ୍ଘନ କରାଯାଇ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି।