ରାଜ୍ୟରେ ବନ୍ଦ ହେଲା ୩୧ କୋଭିଡ ହସ୍ପିଟାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଖୋଲାଯାଇଥିବା କୋଭିଡ ହସ୍ପିଟାଲ ମଧ୍ୟରୁ ଆଜି ୩୧ଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି। ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ଛାଡ଼ି ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅନ୍ୟ ୩୧ଟି କୋଭିଡ ହସ୍ପିଟାଲକୁ ରାଜ୍ୟ ସରକାର ବନ୍ଦ କରିଦେଇଥିବା ଜଣାପଡ଼ିଛି। ତେଣୁ ଏହି ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଆଡମିସନ ନକରିବାକୁ କୁହାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖି ଜଣାଇଛନ୍ତି।

ସମ୍ କୋଭିଡ ହସ୍ପିଟାଲରେ ୫୦ଟି ସାଧାରଣ ଶଯ୍ୟା, ୭୫ ଆଇସିୟୁ ଓ ୨୫ଟି ଏସଡିୟୁ ସଂରକ୍ଷିତ ରହିବ। ସେହିପରି ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ଯୋଦ୍ଧାମାନଙ୍କୁ ସମର୍ପିତ କରିଥିବାରୁ ତାହା ମଧ୍ୟ ଜାରି ରହିବ। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ଓ ଅନ୍ୟ ସଂସ୍ଥାର ସହାୟତାରେ କୋଭିଡ ଖୋଲିଥିଲେ। ରାଜ୍ୟରେ ସଂକ୍ରମଣ କମିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ଯେଉଁମାନେ ବର୍ତ୍ତମାନ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସେମାନେ ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ ବୋଲି କୁହାଯାଇଛି।