ରାସନ୍ ସାମଗ୍ରୀ ବଣ୍ଟନରେ ୩୦୦ କୋଟିର ଘୋଟାଲା: କଂଗ୍ରେସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ଭୂତ ହିତାଧିକାରୀଙ୍କ ନାମକୁ ଆୟୁଧ କରି କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶନିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରାସନ୍ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି। ଲକ୍ଷାଧିକ ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଚାଲିଥିବା ଖାଦ୍ୟଶସ୍ୟ ସାମଗ୍ରୀ ବଣ୍ଟନରେ ଏହି ଦୁର୍ନୀତି ଚଳାଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟରୁ ୯୩ ଲକ୍ଷ ୬ ହଜାର ୨୦୨ ଜଣ ହିତାଧିକାରୀ ଅଛନ୍ତି। ହେଲେ କୌଣସି ଗୋଟିଏ ମାସରେ ବି ୯୩ ଲକ୍ଷ ହିତାଧିକାରୀଙ୍କୁ ରାସନ ଚାଉଳ ବଣ୍ଟନ କରାଯାଇ ନାହିଁ। ଅଥଚ ପ୍ରତ୍ୟେକ ମାସ ହଜାର ହଜାର ମେଟ୍ରିକ ଟନ୍ ଚାଉଳ ବଣ୍ଟା ହେଉନାହିଁ। କିନ୍ତୁ ପରବର୍ତ୍ତୀ ମାସରେ କାହିଁକି ବଳକା ଚାଉଳ ପରିମାଣ କଟା ନଯାଇ କେନ୍ଦ୍ରରୁ ସମ୍ପୂର୍ଣ୍ଣ କୋଟା ଚାଉଳ ଉଠାଯାଉଛି। ପ୍ରତ୍ୟେକ ମାସରେ ରହିଯାଉଥିବା ହଜାର ହଜାର ମେଟ୍ରିକ ଟନ୍ ଚାଉଳ କୁଆଡ଼େ ଯାଉଛି। ଏହା ବିଜେଡି ସରକାରର ଏକ ମାସିକ ଘୋଟାଲା କାର୍ଯ୍ୟକ୍ରମ।

ଶ୍ରୀ ନାୟକ ପୁଣି ଏକ ଅଭିଯୋଗ କରିଛନ୍ତି ଯେ ଦେଶରେ ପ୍ରତ୍ୟେକ ରାଜ୍ୟ ବର୍ଷୱାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିଠା ଅପଡେଟ୍ କରୁଛନ୍ତି। ହେଲେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ତାଗିଦା ସତ୍ତ୍ୱେ ତିନିବର୍ଷ ହେଲା କାହିଁକି ତାଲିକା ଅପଡେଟ୍ କରୁନାହାନ୍ତି। ମହାମାରୀ ସମୟରେ ରାଜ୍ୟ ସରକାର କାର୍ଡ ହିତାଧିକାରୀଙ୍କୁ ଏକ କାଳୀନ ୧ ହଜାର ଟଙ୍କା ଦେବାପାଇଁ ୯୫୫ କୋଟି ଟଙ୍କା ମଞ୍ଜୁର କଲେ। ଅଥଚ ଦୁଇଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହା ମିଳିଳାନାହିଁ। ଏହା ସ୍ପଷ୍ଟକରୁଛି କି ପ୍ରାୟ ୨ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ଶହ ଶହ କୋଟି ଟଙ୍କାର ଚାଉଳ ଘୋଟାଲା। ଏହି ରାସନ ଘୋଟାଲାର ସିବିଆଇ ତଦନ୍ତ କରାଯାଉ।

ସେ ପୁଣି କହିଛନ୍ତି ଯେ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ୍ ନେସନ୍‌-ୱାନ୍ ରାସନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଘୋଷଣା କଲେ ଯେ ମାଲକାନଗିରି ଜିଲ୍ଲାରେ ଭିଟାମିନ୍ ଯୁକ୍ତ ଚାଉଳ ବଣ୍ଟନ ଦ୍ୱାରା ପୃଷ୍ଟିହୀନତା ଦୂର କରାଯିବ। ହେଲେ ଏହା ହେଉଛି କେନ୍ଦ୍ରସରକାରଙ୍କ ଯୋଜନା। ସମଗ୍ର ଦେଶରେ ୧୫ ରାଜ୍ୟରୁ ୧୫ଟି ଦୁର୍ବଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ୨୦୧୯-୨୦ରୁ ଆରମ୍ଭ କରାଯାଇଛି। ଅଥଚ ଦୁଇବର୍ଷ ବିଳମ୍ବରେ କାହିଁକି ନବୀନ ବାବୁ ଏ ପ୍ରକଳ୍ପକୁ ଆରମ୍ଭ କଲେ ତା’ର ଜବାବ ରଖନ୍ତୁ। ଆଗକୁ ପଞ୍ଚାୟତ ଏବଂ ପୌରନିର୍ବାଚନକୁ ଆଖିରେ ରଖି ନବୀନ ବାବୁ ଭିଟାମିନ୍ ଚାଉଳ ଯୋଜନାକୁ ଦୁଇବର୍ଷ ଚାପି ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ତଥା ପିସିସି ମୁଖପାତ୍ର ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।