ବଡ଼ଦିନରେ ନନ୍ଦନକାନନ ବୁଲିଲେ ୩୦ ହଜାର ପର୍ଯ୍ୟଟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଡ଼ଦିନ ଉପଲକ୍ଷେ ବୁଧବାର ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ) ଚଳଚଞ୍ଚଳ ହୋଇପଡ଼ିଛି। ପୂର୍ବବର୍ଷଗୁଡ଼ିକ ଅପେକ୍ଷା ଏଥର ବି ବଡ଼ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ବଡ଼ଦିନରେ ମୋଟ ୨୯,୭୦୧ ଟିକେଟ ବିକ୍ରୀ ହୋଇଛି। ଟିକେଟ୍ ବାବଦରେ ୧୪ ଲକ୍ଷ ୫୪ ହଜାର ୬୪୦ ଟଙ୍କା ଆଦାୟ ହୋଇଛି। ଅନ୍ୟପକ୍ଷରେ ଉଦ୍ଭିଦ ଉଦ୍ୟାନରେ ୪୦୦୧ ଟି ଟିକେଟ୍ ବିକ୍ରୀ ହୋଇ ୧ ଲକ୍ଷ ୭୬ ହଜାର ୫୪୦ ଟଙ୍କା ଆଦାୟ କରାଯାଇଛି।

ଗତବର୍ଷ ତୁଳନାରେ ବଡ଼ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିବା ବେଳେ ବଟାନିକାଲ ଗାର୍ଡେନରେ ସଂଖ୍ୟା ବୃଦ୍ଧି ପାଇଛି। ତେବେ ବଡ଼ଦିନ ଅବସରରେ ସକାଳୁ ସକାଳୁ ନନ୍ଦନକାନନରେ ଭିଡ଼ ଆରମ୍ଭ ହୋଇଥିଲା। ଦିନ ପ୍ରାୟ ୧୧ଟା ବେଳକୁ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଗେଟ ପାଖରେ ବ୍ୟାପକ ପୁଲିସ ମୂତୟନ କରାଯାଇଥିଲା। ରାଜ୍ୟ ଭିତର ଓ ବାହାର ସମେତ ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ନନ୍ଦନକାନନ ପରିସରରେ ଦେଖିବାକୁ ମିଳିଥିଲା। ଅପରପକ୍ଷେ ନନ୍ଦନକାନନ ପାଖାପାଖି ଅଞ୍ଚଳରେ ବଣଭୋଜିର ଆସର ମଧ୍ୟ ଜମିଥିଲା।