ପୂଜକଙ୍କ ଘରୁ ନଗଦ ୩୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରି, ପୁଲିସର ତଦନ୍ତ ଜାରି

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ସହରରେ ଏକ ବଡ ଧରଣର ଚୋରି ହୋଇଛି। ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରି ହୋଇଥିବା ଜଣାପଡିଛି। ରାୟଗଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ରାୟଗଡା ସହରସ୍ଥିତ ରୟତ କଲୋନୀ ଷଷ୍ଠ ଗଳିରେ ରହୁଥିବା ପୂଜକ ବି. ଗଣେଶ ଶର୍ମାଙ୍କ ଘରୁ ଚୋରି ହୋଇଛି। ସ୍ଥାନୀୟ କୋରାପୁଟ ଛକ ନିକଟସ୍ଥ ଶିବ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରନ୍ତି ଗଣେଶ। ଗତ ରବିବାର ଦିନ ପୂଜକ ଗଣେଶ ନିଜ ପରିବାର ସହ ପଡୋଶୀ ଆନ୍ଧ୍ରପ୍ରଦେଶ ସ୍ଥିତ ପାଲକୋଣ୍ଡା ଗ୍ରାମକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।

ଶନିବାର ଘରକୁ ଫେରିବା ପରେ ଘରର କବାଟ ଭାଙ୍ଗିଥିବା ଦେଖିଥିଲେ ଗଣେଶ। ଘର ଭିତରେ ପହଞ୍ଚି ଘରର ସ୍ଥିତି ଅନୁଧ୍ୟାନ କରିଥିଲେ। ଘରେ ଥିବା ଆଲମିରା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ଗଣେଶ ରାୟଗଡା ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ରାୟଗଡା ଉପଖଣ୍ଡ ପୁଲିସ ଅଧିକାରୀ ଦିବ୍ୟଜ୍ୟୋତି ଦାସ, ରାୟଗଡା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ଏସଆଇ ମାନସ କୁମାର ସାହୁ, ପି. ରାବଣାଙ୍କ ସମେତ ଡଗ ସ୍ୱାର୍ଡ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘରୁ ନଗଦ ୩୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରି ହୋଇଥିବା ନେଇ ଗଣେଶ ରାୟଗଡା ପୁଲିସକୁ ଜଣାଇଥିଲେ।

ଉପଖଣ୍ଡ ଥାନା ଅଧିକାରୀ ଶ୍ରୀଦାସ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ସନ୍ଧାନୀ କୁକୁର ସାହାଯ୍ୟର ତଦନ୍ତ ଆରମ୍ଭ କରାଯାଇଥିଲା। ସନ୍ଧାନୀ କୁକୁର ରୟତ କଲୋନୀର ବିଭିନ୍ନ ସ୍ଥାନ ବୁଲିବା ପରେ ଶେଷରେ ରୟତ କଲୋନୀ ସ୍ଥିତ ଶିବ ମନ୍ଦିର ନିକଟରେ ପହଞ୍ଚିଥିଲା। ପୁଲିସ ମନ୍ଦିରର କବାଟ ଖୋଲିବା ପରେ ସନ୍ଧାନୀ କୁକୁର ମନ୍ଦିର ପଛରେ ଥିବା ଘରେ ଯାଇ ପହଞ୍ଚିଥିଲା। ଶିବ ମନ୍ଦିରର ପୂଜକ ବି. ସାଇ ଶର୍ମା ଅଭିଯୋଗକାରୀଙ୍କ ବଡ ଭାଇ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଯଥାଶୀଘ୍ର ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ରାୟଗଡା ଉପଖଣ୍ଡ ଥାନା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।