ଦିନରାତି ଲୁଟେରାଙ୍କ ଆତଙ୍କ: ୨ଟି ସ୍ଥାନରୁ ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କା

ଚାରିଛକ,ଜଳେଶ୍ୱର,ଏନ୍ଏନ୍ଏସ୍: ଚାରିଛକ-ନିମାପଡ଼ା ରାସ୍ତାର ଗୋପାଳପୁର ଗ୍ରାମ ନିକଟରେ ଗୁରୁବାର ଏକ ଇଣ୍ଡିକା କାର୍ର ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୯ଲକ୍ଷ ୯୩ ହଜାର ୫ ଶହ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଆଜି ପ୍ରାୟ ସାଢ଼େ ତିନିଟା ସମୟରେ ନୟାହାଟସ୍ଥିତ ବନ୍ଧନ ବ୍ୟାଙ୍କରୁ ଏକ ଇଣ୍ଡିକା କାର୍(ଓଡି-୦୫-ଇ-୫୧୬୭)ରେ ଟଙ୍କା ନେଇ ନିମାପଡ଼ାସ୍ଥିତ ଏଚଡିଏଫସି ବ୍ୟାଙ୍କକୁ ଯାଉଥିବା ସମୟରେ ଗୋପାଳପୁର ଗ୍ରାମ ନିକଟରେ କାରଟି ହମ୍ପ୍ସରେ ଉଠିବା ସମୟରେ ୬ଜଣ ଦୁର୍ବୃତ୍ତ ମୁହଁରେ ରୁମାଲବାନ୍ଧି ୩ଟି ବାଇକରେ ଆସି କାର୍ ଡ୍ରାଇଭର ଦେବେନ୍ଦ୍ର ପାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଭୟଭୀତ କରାଇଥିଲେ।

ଏଥିସହ କାରର ଚାବିନେଇ ଡିକିରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କଟିକୁ ନେଇ ନିମାପଡ଼ା ଦିଗକୁ ଦ୍ରୁତଗତିରେ ଚାଲିଯାଇଥିଲେ। ଏ ନେଇ ବ୍ୟାଙ୍କର କ୍ୟାସିୟର ଅମିତ କୁମାର କର୍ମକାର, ଫିଲ୍ଡ ଅଫିସର ଚିନ୍ମୟ ମୁଖାର୍ଜୀ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ନିମାପଡ଼ା ଥାନା ଆଇଆଇସି ଜନାର୍ଦ୍ଦନ ପାଢ଼ୀ, ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ ସେଠୀ ପହଞ୍ଚ କାର୍ ସହ ଡ୍ରାଇଭରକୁ ଥାନାକୁ ଆଣି ପଚରାଉଚରା ଚଳାଇଛନ୍ତି। ଖବରପାଇ ନିମାପଡ଼ା ଥାନାରେ ପୁରୀ ଏସପି ଉମାଶଙ୍କର ଦାଶ, ନିମାପଡ଼ା ଏସଡିପିଓ ପିକେ ଦଳାଇ ପହଞ୍ଚ ଅନୁସନ୍ଧାନ ଚଳାଇଛନ୍ତି। ନିମାପଡ଼ା ଅଞ୍ଚଳରେ ଦିନକୁଦିନ ଚୋରି ଓ ରାହାଜାନୀ ବୃଦ୍ଧିପାଉଥିବାରୁ ପୁଲିସ ଉପରେ ଜନସାଧାରଣଙ୍କ ଆସ୍ଥା ତୁଟି ଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସେହିପରି ଜଳେଶ୍ୱର ନିକଟସ୍ଥ ୬୦ନମ୍ବର ଜାତୀୟ ରାଜପଥର ଏକତାଳି ନିକଟରେ ଦୃର୍ବୃତ୍ତମାନେ ବନ୍ଧୁକ ମୁନରେ ଲୁଟି ନେଲେ ୧୦ଲକ୍ଷ ଟଙ୍କା। ଘଟଣାଟି ଘଟିଛି ଗୁରୁବାର ଅପରାହ୍ଣ ୪.୪୫ମି ସମୟରେ। ଏକ ବୋଲେର ଗାଡ଼ି (ଓ ଡି-୦୪କେ-୧୩୧୯)ରେ ୬ ଜଣ ବ୍ୟବସାୟୀ କଲିକତାରୁ ଚଣ୍ଡିଖୋଲ ଯାଉଥିବା ବେଳେ ଏକ ସ୍କୋର୍ପିଓ ପଶ୍ଚିମବଙ୍ଗରୁ ସେମାନଙ୍କୁ ପିଛା କରିଥିଲା। ଜଳେଶ୍ୱର ନିକଟସ୍ଥ ଏକତାଳୀ ଗ୍ରାମ ନିକଟରେ ରାସ୍ତା ଫାଙ୍କା ଥିବାରୁ ସେମାନଙ୍କ ଗାଡ଼ି ଆଗକୁ ଗାଡ଼ି ଆଣି ରାସ୍ତା ଅବରୋଧ ଥିଲେ ଓ ସଙ୍ଗେସଙ୍ଗେ ୬ ଜଣ ଯୁବକ ଗାଡ଼ି ମଧ୍ୟରୁ ବାହାରି ଆସି ଏକ ରାଉଣ୍ଡ ଗୁଳି ଚଳାଇବା ସହ ରଡରେ ବ୍ୟବସାୟୀ ବସିଥିବା ଗାଡ଼ିର କାଚ ଭାଙ୍ଗି ଦେଇଥିଲେ।

ଗାଡିରୁ ସମସ୍ତଙ୍କୁ ଓହ୍ଲାବାକୁ ଧମକ ଦେଇଥିଲେ। ଏହାପରେ ବ୍ୟବସାୟୀଙ୍କ ପାଖରେ ଥିବା ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଛଡ଼ାଇ ନେଇ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ଜଳେଶ୍ୱର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତଦନ୍ତ ଆରମ୍ଭ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ବ୍ୟବସାୟୀଙ୍କ ମଧ୍ୟରେ ଚୋଣ୍ଡିଖୋଲର ସୁନୁ ଖାନ୍, ସେକ ବକ୍ସାର ରହମାନ ଓ ଅନ୍ୟ ୪ଜଣ ଥିଲେ।